ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି। ଆଫ୍ରିକା ମହାଦେଶର ସମସ୍ତ ପିଲାଙ୍କୁ ବିଶ୍ୱର ଏହି ପ୍ରଥମ ମ୍ୟାଲେରିଆ ଟିକା ଦିଆଯିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ ସୁପାରିସ କରିଛି। ଉକ୍ତ ଟିକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ମ୍ୟାଲେରିଆରେ ପ୍ରତିବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥାନ୍ତି। ସେଥିରୁ ୨,୬୦,୦୦୦ ହେଉଛନ୍ତି ୫ ବର୍ଷରୁ କମ୍‌ ବୟସର ପିଲା। ମୁଖ୍ୟତଃ ଆଫ୍ରିକା ମହାଦେଶରେ ଏହି ରୋଗ ଦେଖାଦେଇଥାଏ। ଗ୍ଲାକ୍ସୋସ୍ମିଥ୍‌କ୍ଲିନ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ପିଲାଙ୍କଠାରେ ୫ଟି ମାରାତ୍ମକ ମ୍ୟାଲେରିଆ ସୃଷ୍ଟିକାରୀ ଭୂତାଣୁ ବିରୋଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହା କେବଳ ମ୍ୟାଲେରିଆ ପାଇଁ ନୁହେଁ ଯେକୌଣସି ପରଜୀବୀ ଜନିତ ରୋଗ ବିରୋଧରେ ପ୍ରଥମ ଭାକ୍ସିନ୍‌। ଘାନା, କେନିଆ ଏବଂ ମାଲାଓ୍ବିରେ ୨୦୧୯ରୁ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ପରୀକ୍ଷାମୂଳକ ଭାବେ ଏହି ଟିକା ଦିଆଯାଇଥିଲା। କ୍ଲିନିକାଲ ପରୀକ୍ଷାରେ ଏହା ପ୍ରଥମ ବର୍ଷରେ ଗୁରୁତର ମ୍ୟାଲେରିଆ ବିରୋଧରେ ୫୦ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିବାବେଳେ ଚତୁର୍ଥ ବର୍ଷକୁ ଟିକାର ପ୍ରତିରୋଧକ ଶକ୍ତି ଯଥେଷ୍ଟ ହ୍ରାସ ପାଉଥିବା ଦେଖାଯାଇଛି। ଏହା ମ୍ୟାଲେରିଆଜନିତ ମୃତ୍ୟୁ ରୋକିବାରେ କେତେଦୂର ଫଳପ୍ରଦ ହେବ ତାହାକୁ ନେଇ କେତେଜଣ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ତେବେ ମ୍ୟାଲେରିଆ ମୃତ୍ୟୁର ପାଖାପାଖି ୫୦ ପ୍ରତିଶତ ଗୁରୁତର ମାମଲା ହୋଇଥିବାରୁ ମୃତ୍ୟୁହାର କମାଇବାରେ ଏହା ଫଳପ୍ରଦ ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ମ୍ୟାଲେରିଆ ଟିକା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଡ. ମେରି ହାମେଲ୍‌ କହିଛନ୍ତି। ଟିକାକରଣ କାର୍ଯ୍ୟକାରୀ ହେଲେ ପ୍ରତିବର୍ଷ ୫୪ ଲକ୍ଷଙ୍କୁ ସଂକ୍ରମଣରୁ ଏବଂ ୫ ବର୍ଷରୁ କମ୍‌ ୨୩,୦୦୦ ପିଲାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରିବ ବୋଲି ଆକଳନ କରାଯାଇଛି।

Share