ଇସଲାମାବାଦ,୧୮।୯: ପାକିସ୍ତାନର କରାଚିରେ ରହୁଥିବା ଏରିକା ରବିନ ‘ମିସ୍ ୟୁନିଭର୍ସ ପାକିସ୍ତାନ ୨୦୨୩’ର ଟାଇଟଲ ଜିତିଛନ୍ତି । ସେ ଏହି ଟାଇଟଲ ଜିତିଥିବା ଦେଶର ପ୍ରଥମ ମହିଳା ହୋଇପାରିଛନ୍ତି। ତେବେ ଏରିକାଙ୍କ ବିଜୟକୁ ନେଇ ଘରେ ଉତ୍ସବ ନୁହେଁ, ବରଂ ଝିଅଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବାରୁ ସମସ୍ତେ ନିରବ ରହିବାକୁ ଶ୍ରେୟ ମଣିଛନ୍ତି।
ଦୁବାଇସ୍ଥିତ କମ୍ପାନୀ ୟୁଗେନ୍ ଗ୍ରୁପ ଦ୍ୱାରାମିସ୍ ୟୁନିଭର୍ସ ପାକିସ୍ତାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପାକିସ୍ତାନର ୫ ପ୍ରତିଯୋଗୀ ସାମିଲ ଥିଲେ। ୨୪ ବର୍ଷୀୟ ଏରିକା ପ୍ରଥମ ଥର ପାଇଁ ଏହାକୁ ଜିତିଥିଲେ। ଟାଇଟଲ ଜିତିବା ପରେ ଏରିକା ନିଜର ଖୁସିବ୍ୟକ୍ତ କରିବା ସହ ଭଗବାନଙ୍କ ଆଶୀର୍ବାଦ ବୋଲି ପ୍ରତିକ୍ରିୟା ଦେଇଥିଲେ। ମାତ୍ର ତାଙ୍କର ଉପଲବ୍ଧିକୁ ଦେଶର ଧାର୍ମିକ ସଂଗଠନ ଏବଂ ଦଳଗୁଡ଼ିକ ସମାଲୋଚନା କରିବାକୁ ପଛାଇନାହାନ୍ତି। ଏହାକୁ ଲଜ୍ଜାଜନକ ବୋଲି କହିବା ସହ ଏଭଳି ପ୍ରତିଯୋଗିତାର ଆୟୋଜନ ଦେଶର ଅପମାନ ବୋଲି ସେମାନେ ମତ ରଖୁଛନ୍ତି।