ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଜାଣନ୍ତୁ କେଉଁଠି ମତଦାନ…

ଭୁବନେଶ୍ୱର,୧୩।୫(ଅସମାପିକା ସାହୁ): ଓଡ଼ିଶାରେ ପ୍ରଥମ ତଥା ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ ସୋମବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ମୋଟ ୭,୩୦୩ ମତଦାନ କେନ୍ଦ୍ରରେ ୬୨,୮୭,୨୨୨ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ସଂଖ୍ୟା ଅଧିକ ରହିଛି। ୩୧,୮୯,୦୬୦ଜଣ ମହିଳା ଭୋଟର ଥିବାବେଳେ ୩୦,୯୭,୫୨୭ଜଣ ପୁରୁଷ ଓ ୬୩୫ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ତେବେ ୬୦ ପ୍ରତିଶତ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ କରାଯିବ। ଏହି ପରିପ୍ରେକ୍ଷୀରେ ପ୍ରତି ବୁଥ୍‌ରେ ମତଦାତାଙ୍କୁ ସ୍ବାଗତ କରିବା ପାଇଁ ନିର୍ବାଚନ କର୍ମଚାରୀମାନେ ପ୍ରସ୍ତୁତ ବୋଲି ରବିବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୩ ତାରିଖରେ ମତଦାନ କରାଇବା ପାଇଁ ପୋଲିଂ ପାର୍ଟିଗୁଡ଼ିକ ପୋଲିଂ ଷ୍ଟେଶନକୁ ଯାଇସାରିଛନ୍ତି। ନୂଆପଡ଼ା ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ୬ଟି ବୁଥ୍‌ ପାଇଁ ପୋଲିଂ ପାର୍ଟିଗୁଡ଼ିକୁ ଏୟାର ଡ୍ରପ୍‌ କରାଯାଇଛି। ଅନେକ ଅଞ୍ଚଳକୁ ବୋଟ୍‌ ମାଧ୍ୟମରେ ନଦୀ ପାରହୋଇ ପୋଲିଂ ପାର୍ଟିଗୁଡ଼ିକ ଯାତ୍ରା କରିଛନ୍ତି। ଏସବୁ ଐତିହାସିକ ମୁହୂର୍ତ୍ତ ନିର୍ବାଚନକୁ ଦେଶର ପ୍ରକୃତ ମହାନତମ ଗଣପର୍ବ ରୂପେ ପ୍ରତିଷ୍ଠିତ କରିବା ସହ ‘ମତଦାନର ପର୍ବ- ଆମ ଦେଶର ଗର୍ବ’ ବାର୍ତ୍ତାକୁ ସାର୍ଥକ କରୁଛି। ଏହି ୪ ସଂସଦୀୟ କ୍ଷେତ୍ରର ସମସ୍ତ ନାଗରିକଙ୍କୁ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଧଳ ଅନୁରୋଧ କରିବା ସହ ନିଜ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି।

କେଉଁଠି ମତଦାନ

୪ ଲୋକ ସଭା ଆସନ

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର

୨୮ ବିଧାନସଭା ଆସନ

ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଏବଂ ପାରଳାଖେମୁଣ୍ଡି।

Share