କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍ ଅନ୍ତର୍ଗତ ଶାଳିଅଞ୍ଚ ଗାଁରେ ମୋ ଜନ୍ମ। ଜଗମୋହନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ସାଲେପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ତିର୍ତ୍ତୋଲ କଲେଜରୁ ଭୂତତ୍ତ୍ୱ ବିଜ୍ଞାନ ସମ୍ମାନରେ ଯୁକ୍ତ ତିନି ପାସ୍ କରି ସାରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପି.ଜି. କଲି। ଏହାପରେ ଦୁଇବର୍ଷ ବିଭିନ୍ନ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଆଉ ତା’ରି ଭିତରେ ହିଁ ମୋତେ ବଳଦେବ ଜିଉ କଲେଜ ଅଫ୍ ଏଜୁକେଶନରେ ଅଧ୍ୟାପକ ଭାବେ ଚାକିରି ମିଳିଗଲା। ସେତେବେଳେ ଏହି କଲେଜଟି ମ୍ୟାନେଜ୍ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଦରମା ବି ବେଶି ନ ଥିଲା। ମାତ୍ର ଦୁଇ ହଜାର ଟଙ୍କା ଥିଲା ମୋ ଦରମା, ସେ ପୁଣି କ୍ୟାଶ୍ରେ ମିଳୁଥିଲା। ତେବେ ମୁଁ ଏକା ନ ଥିଲି, ଉକ୍ତ କଲେଜରେ ଚାକିରି କରୁଥିବା ଅନ୍ୟ ନଅଜଣ ଅଧ୍ୟାପକ ଓ ଅଧ୍ୟାପିକା ବି ସେ ଥରକ ନୂଆକରି ଦରମା ପାଇଥିଲେ। ତେଣୁ ସମସ୍ତେ ମିଶି ପ୍ଲାନିଂ କଲୁ ଦରମା ଟଙ୍କାରେ ଆଗେ ପେଟ ଭରିକି ଖାଇବୁ। ଯେହେତୁ ଦରମା ମିଳିଲା ବେଳକୁ ଅପରାହ୍ନ ୪.୩୦ ହୋଇଯାଇଥିଲା, ତେଣୁ କଲେଜ ପାଖ ଏକ ଟିଫିନ୍ ସେଣ୍ଟରକୁ ଯାଇ ମନଭରି ଆମେ ବରା, ସିଙ୍ଗଡ଼ା, ଛେନାପୋଡ଼ ଆଦି ଖାଇଥିଲୁ। ସମସ୍ତେ ଏକାଠି ଖାଇଥିଲେ ହେଁ ସେଦିନ ଜଣେ ଯେହେତୁ ସମସ୍ତଙ୍କର ପଇସା ଦେଇ ଦେଇଥିଲେ, ତେଣୁ ଆମର ନିଷ୍ପତ୍ତି ହେଲା, ଏମିତି ଦଶଦିନ ଯାକ ପାଳିକରି ଜଣେ ଜଣେ ପଇସା ଦେବେ ଆଉ ସମସ୍ତେ ଏମିତି ଏକାଠି ଟିଫିନ୍ କରିବେ। ସେୟା ହିଁ ହେଲା, ଦଶଦିନ ଏମିତି ଖୁସିରେ ବିତିଗଲା। ଅବଶ୍ୟ ତାରି ଭିତରେ ଆମେ ଗୋଟେଦିନ ସମସ୍ତେ ସାଙ୍ଗହୋଇ ସିନେମା ଦେଖିବାକୁ ମଧ୍ୟ ଯାଇଥିଲୁ। ଏହାପରେ ମୁଁ ଘରକୁ ଯେବେ ଛୁଟିରେ ଗଲି ବାପାଙ୍କ ହାତରେ ହଜାରେ ଟଙ୍କା ଦେଇଥିଲି; ସେଦିନ ବାପା ବହୁତ ଖୁସି ହୋଇଥିଲେ। ହେଲେ ବାପା ଯେହେତୁ ଶିକ୍ଷକତା କରୁଥିଲେ ଆଉ ପରିବାର ସମ୍ଭାଳୁଥିଲେ, ତେଣୁ ସେ ଜାଣିପାରିଥିଲେ ମାତ୍ର ଦୁଇ ହଜାର ଟଙ୍କା ଦରମା ପାଇ ବାହାରେ ଚଳିବା କେତେ କଷ୍ଟ। ସେଥିପାଇଁ ଘରୁ ଫେରିଲା ବେଳକୁ ମୁଁ ଦେଇଥିବା ହଜାରେ ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ସେ ମୋ ହାତରେ ଧରାଇ ଦେଇଥିଲେ। ଉକ୍ତ କଲେଜରେ ଦୁଇବର୍ଷ ଅଧ୍ୟାପନା କରିବା ପରେ ଚାକିରି ଛାଡ଼ିଦେଲି। ଯେହେତୁ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ମୋର ଜାରି ରହିଥିଲା ଆଉ କେତେଥର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇସାରିଥିଲି, ତେଣୁ ପିଲାମାନଙ୍କୁ କମ୍ପିଟେଟିଭ୍ କୋଚିଂ ଦେବା ପାଇଁ ଭୁବନେଶ୍ୱର ଚାଲି ଆସିଲି। ବେଶ୍ କିଛିଦିନ ଏହି କ୍ଷେତ୍ରରେ କାମ କରିବା ପରେ ସାହିତ୍ୟ ସାଧନା ପ୍ରତି ମୋର ଆବେଗ ଖୁବ୍ ବଢ଼ି ଯାଇଥିଲା। ତେବେ ସ୍କୁଲ୍, କଲେଜବେଳେ ମୁଁ ଗପ, କବିତା ବହୁତ ପଢୁଥିଲି। କ୍ରମେ ନିଜେ ଲେଖିବାକୁ ମଧ୍ୟ ଆରମ୍ଭ କଲି। ଯୁକ୍ତ ଦୁଇରେ ପଢ଼ିଲାବେଳେ ମୋର ଏକ କବିତା ପ୍ରଥମ କରି ଖବରକାଗଜରେ ପ୍ରକାଶ ପାଇଲା। ବାସ୍ ତା’ପରଠୁ ମୁଁ ଗୋଟେ ପରେ ଗୋଟେ କବିତା, ଗପ ଓ ଉପନ୍ୟାସ ଲେଖିଚାଲିଲି। ୟା’ଭିତରେ ମୁଁ ପ୍ରାୟ ୬୦/୭୦ଟି କବିତା ଲେଖିସାରିଲିଣି; ତନ୍ମଧ୍ୟରୁ ପ୍ରାୟ ୨୦ଟି କବିତା ବିଭିନ୍ନ ଖବରକାଗଜ ଓ ମାଗାଜିନ୍ରେ ପ୍ରକାଶିତ ହୋଇସାରିଲାଣି। ସେହିପରି ମୋ ଲିଖିତ ପ୍ରାୟ ୬୫ଟି ପ୍ରକାଶିତ ଗପକୁ ନେଇ ‘ରୁଟି’ ନାମକ ଏକ ଗଳ୍ପ ସଂକଳନ ମଧ୍ୟ ମୋର ପ୍ରକାଶ ପାଇସାରିଲାଣି। ଅନ୍ୟପକ୍ଷେ ମୋର ଏକ ଉପନ୍ୟାସ ପୁସ୍ତକ ‘ଶିଡ଼ି’ ବି ପ୍ରକାଶିତ ହୋଇସାରିଲାଣି। ତେବେ ମୋ ଲେଖାଗୁଡ଼ିକ ମୁଖ୍ୟତଃ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୀବନରେ ସଂଘର୍ଷ, ବାସ୍ତବତା ତଥା ପ୍ରେମ ଉପରେ ପର୍ଯ୍ୟବସିତ ହୋଇଥାଏ। କେବଳ ଗପ, କବିତା, ଉପନ୍ୟାସ ନୁହେଁ, ଭୂତତ୍ତ୍ୱ ବିଜ୍ଞାନ ସମ୍ବନ୍ଧୀୟ ମୋର ଅନେକ ଲେଖା ମଧ୍ୟ ବିଭିନ୍ନ ଜର୍ନାଲ୍ରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ମିଳିସାରିଲାଣି।