Categories: ଫୁରସତ

ମୋ ବୋଉ ହାତରେ ମୋ ପ୍ରଥମ ଦରମା

ଆମ ପରିବାର ଏକ ନିମ୍ନ ମଧ୍ୟବିତ୍ତ ପରିବାର। କୃଷି ଥିଲା ଆମ ଅର୍ଥନିତୀର ମୁଖ୍ୟ ମାଧ୍ୟମ। ବାପା ଥିଲେ ଜଣେ ଭଲ ଚାଷୀ। ମୋତେ ୧୮ବର୍ଷ ବେଳେ ବାପାଙ୍କର ଦେହାନ୍ତ ହେଲା ହୃଦ୍‌ଘାତରେ। ଏହାପରେ କଷ୍ଟେମଷ୍ଟେ ପରିବାର ଆଗକୁ ଗଡ଼ି ଚାଲିଲା। ୧୯୯୪ ମସିହା ଅକ୍ଟୋବର ୧୭ରେ ମୁଁ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଯୋଗଦେଲି। ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ଅଧିନରେ ଅନୁଷ୍ଠିତ ଚୟନ ଆଧାରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ମୁଁ ପ୍ରଥମେ ଯୋଗଦେଲି କଟକରେ।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଆମେ ଚୟନ ହେବା ପରେ ସମସ୍ତ ନୂତନ ଅଧିକାରୀମାନଙ୍କୁ ଏକ ୧୦ ଦିନିଆ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ପରେ ଆମମାନଙ୍କୁ ବିଭିନ୍ନ ସ୍ଥାନରେ ପୋଷ୍ଟିଂ ଦିଆଗଲା। ମୋର ପୋଷ୍ଟିଂ କଟକ ସଦର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଆଦେଶ ହେଲା। ଯଦିଓ ଏହି ପଦଟି ଉପଖଣ୍ଡ ଭାବେ ସଦର ଉପଖଣ୍ଡକୁ ବୁଝାଉଥିଲା, ତେବେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିବର୍ତ୍ତେ ମୋର କାର୍ଯ୍ୟାଳୟ ରହିଥିଲା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଟକଙ୍କ ଅଧିନରେ। ଯାହା କଟକ ଜିଲାପାଳଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଅବସ୍ଥିତ ଥିଲା। ସେତେବେଳେ ନଗଦ ଆକାରରେ ଦରମା ମିଳୁଥିଲା। ଅଧିକାରୀ ବା କର୍ମଚାରୀ ଆକ୍ୟୁଟାନ୍ସରେ ରେଭିନ୍ୟୁ ଷ୍ଟାମ୍ପ ମାରି ଦରମା ନେଉଥିଲେ। ମୁଁ ବି ପ୍ରଥମ ଦରମା ନଗଦ ଆକାରରେ ଗଣି ଗଣି ନେଲାବେଳେ ବେଶ୍‌ ଆନନ୍ଦ ଲାଗିଲା। ପିଲାବେଳେ ପଢିଥିବା କଥା ମନେ ପଡିଗଲା। ”ପାଣି ପିଇବ ଛାଣି ପଇସା ନେବ ଗଣି।“
ସେତେବେଳେ ଆମ ବେସିକ ବା ମୂଳ ଦରମା ୧୪୦୦ ଟଙ୍କା ଥିଲା। ତା’ସହ ମିଶିବ ଡି.ଏ, ଘରଭଡା ବା ଏଚ.ଆର.ଏ। ମୁଁ ଯେହେତୁ ଜଏନ କରିଥିଲି ୧୭ ତାରିଖରେ ତେଣୁ ହିସାବ ଅନୁଯାୟୀ ମାସ ଶେଷରେ ମିଳିଲା ୧୩୮୨ ଟଙ୍କା। ପ୍ରଥମ ଦରମା ହୃଦୟରେ ସ୍ପନ୍ଦନ ବୃଦ୍ଧି ସହ ଶିହରଣ ଖେଳେଇ ଦେଲା। ପ୍ରଥମ ଦରମା ଦେଲି ବୋଉ ହାତରେ। ବୋଉ ପରଦିନ ଆମ ଗାଁ ଠାକୁରାଣୀ ଦକ୍ଷିଣେଶ୍ୱରୀଙ୍କ ଗାଧୁଆ ଓ ପୂଜାର ବ୍ୟବସ୍ଥା କରିଥିଲା। ତା’ସହିତ ପରଦିନ ଅଫିସ ଗଲାବେଳେ ବୋଉ ନିର୍ଦ୍ଦେଶରେ କିଛି ଟଙ୍କାରେ ନିମାପଡାରୁ ଛେନାଝିଲ୍ଲି କିଣିକି ନେଇଥିଲି ଅଫିସ୍‌ ଷ୍ଟାଫଙ୍କ ପାଇଁ। ପରବର୍ତ୍ତୀ ମାସ ଦରମାରେ ପରିବାରର ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର କିଣିଥିଲି। ଆଜି ହୁଏତ ଦରମା ବଢିଛି। ହେଲେ ନଗଦରେ ହାତକୁ ଆସୁନାହିଁ। ବ୍ୟାଙ୍କ ଖାତାରେ ଜମା ହୋଇଯାଉଛି। କିନ୍ତୁ ସେତେବେଳେ ଦରମା ନେଲା ଦିନ ଗୋଟେ ଖୁସିର ମାହୋଲ ରହୁଥିଲା। ମାସର ୧ ବା ୨ ତାରିଖରେ ହାତରେ ନଗଦ ଦରମା ସତେଜ ଫୁଲ ଉପରେ କାକର ବିନ୍ଦୁ ଭଳି ଖୁସିରେ ଝଲସି ଉଠୁଥିଲା। ଆଉ ମାସ ଶେଷ ବେଳକୁ ଯେତେବେଳେ ପଇସା ସରିଯାଉଥିଲା ସମସ୍ତଙ୍କ ମୁହଁ ଫୁସ୍‌କା ବେଲୁନ ଭଳି ଶୁଖିଲା ଦିଶୁଥିଲା। ଏ ତ ଗଲା ରୋଜଗାରର କଥା। ଏହାବ୍ୟତିତ ଲେଖାଲେଖିରେ ରୁଚି ଥିବାରୁ ୟା’ ଭିତରେ ମୋ ଲିଖିତ ଅନେକ କ୍ଷୁଦ୍ରଗଳ୍ପ ଓ କବିତା ବିଭିନ୍ନ ଖବରକାଗଜ ଓ ମାଗାଜିନ୍‌ରେ ପ୍ରକାଶ ପାଇ ମୋତେ ବହୁ ପାଠକୀୟ ପ୍ରଶଂସା ଦେଇଛି।

Share