ବାପା ମା’ଙ୍କର ମୁଁ ଥିଲି ସବୁଠାରୁ ବଡ଼ପୁଅ। ମୋ ତଳେ ଆହୁରି ଚାରି ଭାଇ ଓ ଦୁଇ ଭଉଣୀ, ମାନେ ଆମେ ସାତ ଭାଇଭଉଣୀ। ବଡ଼ ପରିବାର। ବାପା ଥିଲେ ହାଇସ୍କୁଲ ଶିକ୍ଷକ। ଅବଶ୍ୟ ରିଟାୟାର୍ଡ଼ ବେଳକୁ ସି.ଟି. ସ୍କୁଲର ହେଡ୍ମାଷ୍ଟର ଥିଲେ। ବଡ଼ ପରିବାର ଯୋଗୁ ତାଙ୍କ ଉପରେ ଅର୍ଥନୈତିକ ଚାପ ପଡ଼ିବା ସ୍ବାଭାବିକ। ବଡ଼ ପୁଅ ହୋଇଥିବାରୁ ଭାବୁଥିଲି କିପରି ଶୀଘ୍ର ଚାକିରି ଗୋଟିଏ ପାଇଗଲେ ବାପାଙ୍କୁ ଆର୍ଥିକ ସାହାଯ୍ୟ କରିପାରିବି। ଅବଶ୍ୟ ମୁଁ ଷଷ୍ଠ ଶ୍ରେଣୀରୁ ଏମ.ଏସ୍ସି. ଶେଷ ବର୍ଷ ପର୍ଯ୍ୟନ୍ତ ବୃତ୍ତି ପାଇ ଆସୁଥିଲି। ଏହି ଟଙ୍କା ମୋତେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ଯୋଗୁ ମିଳୁଥିଲା। ଏହା ପ୍ରକାରାନ୍ତରେ ବାପାଙ୍କୁ ଆର୍ଥିକ ସହାୟତା କରୁଥିଲା ଓ କଲେଜରେ ପଢ଼ିବାରେ ମୋର ବିଶେଷ ଅସୁବିଧା ହେଉ ନ ଥିଲା। ମନେପଡୁଛି ବିଜେବି କଲେଜରେ ପ୍ରିୟୁନିଭରସିଟି ପଢ଼ିଲାବେଳେ ବର୍ଷ ଶେଷରେ ଏକାଥରକେ ଜାତୀୟ ବୃତ୍ତି ଟଙ୍କା ମିଳିଥିଲା। ସେଥିରୁ ୫୦୦ ଟଙ୍କା ବାପାଙ୍କ ପାଖକୁ ମନିଅର୍ଡ଼ର କରିଥିଲି, କାରଣ ସେତେବେଳେ ବାପାଙ୍କର କୋରାପୁଟ ଜୟପୁରରୁ ଗଞ୍ଜାମର ରାୟଗଡ଼କୁ ବଦଳି ହୋଇଥିଲା ଓ ଘରର ଜିନିଷପତ୍ର ସବୁ ନୂତନ ସ୍ଥାନକୁ ନେବାପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା। ଅତଏବ ମୋ ବୃତ୍ତି ଟଙ୍କା ସେବେ ବାପାଙ୍କର କିଛି କାମରେ ଆସିଥିବାରୁ ମୋତେ କିଛିଟା ଆତ୍ମସନ୍ତୋଷ ମିଳିଥିଲା। ସେହିପରି ଆଉ ଏକ ଘଟଣା ହେଲା, ବାଣୀବିହାରରେ ଏମ୍.ଏସ୍ସି. ଶେଷବର୍ଷ ପଢ଼ିବାବେଳେ ଚାକିରି ପାଇଁ ବିଭିନ୍ନ ପରୀକ୍ଷା ଦେଉଥିବା ସମୟର କଥା। ଥରେ ଆଲ୍ଲାହାବାଦ ବ୍ୟାଙ୍କରେ ଆସିଷ୍ଟାଣ୍ଟ ଚାକିରି ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ଦେଇଥାଏ। ଏଥିରେ ଓଡ଼ିଶାରେ ପ୍ରଥମ ହୋଇଥିଲି, ଏହାର ଆପଏଣ୍ଟମେଣ୍ଟ ଚିଠିଟି ଟେଲିଗ୍ରାମ ଯୋଗେ ମୁଁ ଦେଇଥିବା ବାପାଙ୍କ ଠିକଣାରେ ଯାଇ ପହଞ୍ଚତ୍ଲା। ବାପା ଟେଲିଗ୍ରାମଟି ପଢି ଏତେ ଖୁସି ହୋଇଥିଲେ ଯେ ତାଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା। ତୁରନ୍ତ ଚିଠିଟି ଧରି ବାଣୀବିହାର ହଷ୍ଟେଲକୁ ଆସି ମୋତେ ଦେଇଥିଲେ ଆଉ କହିଥିଲେ ‘ଭଗବାନଙ୍କ କୃପାରୁ ମୋ ବଡ଼ ପୁଅର ଚାକିରି ହୋଇଗଲା’। ସେଦିନ ବାପାଙ୍କର ସେହି ଆନନ୍ଦଭରା ମୁହଁ ମୋତେ ବେଶ୍ ସନ୍ତୋଷ ଦେଇଥିଲା। ନିର୍ଦ୍ଧାରିତ ଦିନ ଯାଇ ଚାକିରିରେ ଜଏନ୍ କଲି। ପ୍ରଥମ ଚାକିରିର ପ୍ରଥମ ମାସର ଦରମା ଥିଲା ୫୫୦ ଟଙ୍କା। ସେତେବେଳେ ଏହାର ମୂଲ୍ୟ ଢେର୍ ଥିଲା; ଯେଉଁଥିରୁ ୧୫୦ଟଙ୍କା ରେଭେନ୍ସା କଲେଜରେ ଇଂଲିଶ ଅନର୍ସ ନେଇ ପଢୁଥିବା ମୋ ତଳ ଭାଇକୁ ଏବଂ ୧୦୦ଟଙ୍କା ରିଜିଓନାଲ କଲେଜରେ ବି.ଏ. ବି.ଏଡ୍. ଇଣ୍ଟିଗ୍ରେଟେଡ କୋର୍ସରେ ପଢୁଥିବା ମୋ ସାନ ଭଉଣୀକୁ ଦେଇଥିଲି। ଏକଥା ଜାଣି ବାପା ଖୁବ୍ ଖୁସି ହୋଇଥିଲେ। ତା’ପରଠୁ କ୍ରମାଗତ ଭାବେ ସାନ ଭାଇଭଉଣୀମାନଙ୍କୁ ସେମାନଙ୍କର ପାଠପଢ଼ା ଶେଷ ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା କରିଚାଲିଲି। ଘରକୁ ବି କିଛି ଟଙ୍କା ପଠାଉଥିଲି। ବେଶ୍ କିଛିଦିନ ଉକ୍ତ ବ୍ୟାଙ୍କରେ କାମ କରିବା ପରେ ତାକୁ ଛାଡ଼ି ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ଜଏନ୍ କଲି। ପୁଣି କିଛିଦିନ ପରେ ଇଣ୍ଟରଭ୍ୟୁ ଦେଇ ସାରା ଭାରତରେ ୭ମ ସ୍ଥାନ ଅଧିକାର କରି ଆଲ୍ଲାହାବାଦ ବ୍ୟାଙ୍କର ମ୍ୟାନେଜମେଣ୍ଟ ଟ୍ରେନି (ପ୍ରୋବେସନାରୀ ଅଫିସର କ୍ୟାଡର) ଭାବେ କାମ କରିବାକୁ ଲାଗିଲି। ଆଉ ଶେଷରେ ଓପିଏସ୍ସି ଦ୍ୱାରା ମନୋନୀତ ହୋଇ ୟୁଜିସି ସ୍କେଲ୍ରେ ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ୧୯୮୦ରୁ କ୍ୟାରିୟର ଆରମ୍ଭ କରି ୨୦୧୨ରେ ସମ୍ବଲପୁର ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟରୁ ପ୍ରଫେସର ତଥା ବିଭାଗୀୟ ମୁଖ୍ୟରୂପେ ଅବସର ଗ୍ରହଣ କରିଥିଲି। ଏବେ ମୁଁ ଜୀବନର ଅପରାହ୍ନରେ ଥାଇ ମଧ୍ୟ ସାହିତ୍ୟ ଓ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଛି। ୟା’ଭିତରେ ମୋର ୫୭ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ମୋ ଜୀବନର ସଫଳତା ଓ ବିଫଳତାର ହିସାବନିକାସ ଉପରବାଲାଙ୍କ ହାତରେ ଛାଡିଦେଇଛି।