ଖୋର୍ଦ୍ଧା ଜିଲା କୁହୁଡ଼ି ଅଞ୍ଚଳରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍ କରିବା ପରେ ଡିପ୍ଲୋମା ପଢ଼ିଲି। କିନ୍ତୁ ଅଧାରୁ ଭଲ ନ ଲାଗିବାରୁ ତାକୁ ଛାଡ଼ି ଆଇ.ଏସ୍ସି. ପଢ଼ିବାକୁ ନିରାକାରପୁର କଲେଜରେ ଆଡ୍ମିଶନ ନେଲି, ଆଉ ସେଠାରୁ ବି.ଏସ୍ସି. ପାସ୍ କରି ଭଦ୍ରକସ୍ଥିତ ରାଲିଶ ଇଣ୍ଡିଆ ପେଷ୍ଟିସାଇଡ୍ସ ଆଣ୍ଡ ଫର୍ଟିଲାଇଜର୍ କମ୍ପାନୀରେ ରିପ୍ରେଜେଣ୍ଟେଟିଭ ଭାବେ ଯୋଗଦେଲି। ଏହା ଥିଲା ୧୯୮୨ ମସିହାର କଥା। ସେତେବେଳେ ୧୨୭୫ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ଆଖଣ୍ଡଳମଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲି। ତା’ସହିତ ବାପାବୋଉଙ୍କ ପାଇଁ ଠାକୁରପୂଜା ମଠା କିଣିଥିଲି। ଏପରିକି ଘରଖର୍ଚ୍ଚ ପାଇଁ ବାପାଙ୍କ ହାତରେ ୩୨୦ ଟଙ୍କା ବି ଦେଇଥିଲି। ପ୍ରଥମ ଦରମାରେ ବାପାବୋଉଙ୍କ ପାଇଁ ଯେମିତି ନୂଆ ଲୁଗା କିଣିଥିଲି ଦ୍ୱିତୀୟ ମାସରେ ବଡ଼ ପାଞ୍ଚ ଭଉଣୀଙ୍କ ପାଇଁ ବି ଶାଢ଼ି କିଣି ଦେଇଥିଲି। ପ୍ରାୟ ୬ମାସ ଏଠି କାମ କରିବା ପରେ ଚାକିରି ଛାଡ଼ି ଦିଲ୍ଲୀରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ଇଣ୍ଡଷ୍ଟ୍ରିଆଲ୍ ରିଲେଶନ୍ ଆଣ୍ଡ୍ ପର୍ସନାଲ୍ ମ୍ୟାନେଜ୍ମେଣ୍ଟ ଉପରେ ଏକ କୋର୍ସ କରିଥିଲି। ତା’ପରେ ମୋତେ ରାଜ୍ୟ ସରକାରଙ୍କ ଏକ୍ସପୋର୍ଟ ପ୍ରମୋଶନ୍ ଆଣ୍ଡ ମାର୍କେଟିଂ ଡିପାର୍ଟମେଣ୍ଟରେ ଲାବରେଟୋରି ଆସିଷ୍ଟାଣ୍ଟ ଭାବେ ଚାକିରି ମିଳିଥିଲା। ୩ମାସ ପରେ ସେ ଚାକିରି ବି ଛାଡ଼ିଦେଲି ଆଉ ଲ’ ପଢ଼ିବାକୁ ଇଚ୍ଛାକଲି। କିନ୍ତୁ ଦୁର୍ଭାଗ୍ୟ ଯେଉଁଦିନ ମୋର ଲ’ କଲେଜରେ ଆଡ୍ମିଶନ ଥିଲା ସେଦିନ ବାପାଙ୍କର ହଠାତ୍ ଦେହ ଖରାପ ହେଲା। ଘରର ଗୋଟେ ପୁଅ ହୋଇଥିବାରୁ ବାପାଙ୍କ ପାଖେ ରହି ତାଙ୍କର ଦେଖାଚାହଁା କଲି। ଏମିତି କିଛିଦିନ ବିତିଗଲା ଆଉ ତା’ପରେ ମୁଁ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଭାବେ ଏକ ଔଷଧ କମ୍ପାନୀରେ କାମ କରିବାକୁ ଲାଗିଲି। ୫/୬ମାସ ଏଠି କାମ କରିବା ଭିତରେ ଓଡ଼ିଶା ମାଇନିଂ କର୍ପୋରେଶନ ତରଫରୁ ଏକ ଇଣ୍ଟରଭ୍ୟୁ ବାହାରିଲା। ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ପ୍ଲଟ୍ ସୁପର୍ ଭାଇଜର୍ ଭାବେ ୫ବର୍ଷ ବଡ଼ବିଲ୍ରେ କାମ କଲି। ସେଠାରେ ଥିଲାବେଳେ ବଡ଼ବିଲ୍ ମାଇନିଂ ଟ୍ରାନ୍ସପୋର୍ଟ ଆଣ୍ଡ ଓ୍ବାର୍କର୍ସ ୟୁନିୟନ୍ର ସେକ୍ରେଟାରି ଦାୟିତ୍ୱ ବି ତୁଲାଉଥିଲି। ଏହାପରେ ମୋର ଭୁବନେଶ୍ୱରକୁ ବଦଳି ହୋଇଗଲା ଆଉ ମୁଁ ଏଠାରେ ମାଇନିଂ କର୍ପୋରେଶନ୍ର ଲୋକ ସମ୍ପର୍କ ବିଭାଗରେ ସୁପରଭାଇଜର୍ ଭାବେ କାମ କରିବାକୁ ଲାଗିଲି। ତା’ସହିତ ଭୁବନେଶ୍ୱର ଷ୍ଟାଫ୍ ଆସୋସିଏଶନ୍ର ଭାଇସ୍-ପ୍ରେସିଡେଣ୍ଟ ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲି। ବେଶ୍ କିଛିଦିନ ଏମିତି ବିତିବା ପରେ ହଠାତ୍ ବାପାଙ୍କର ମୃତ୍ୟୁ ହେଲା। ଧୀରେ ଧୀରେ ମା’ ବି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଗଲେ। ତେଣୁ ମା’ଙ୍କର ଦେଖାଚାହାଁ କରିବାକୁ ମୋତେ ଚାକିରିରୁ ଇଚ୍ଛାଧୀନ ଅବସର ନେବାକୁ ପଡ଼ିଲା। ଚାକିରିରୁ ସିନା ଅବସର ନେଇଗଲି କିନ୍ତୁ ସମାଜମଙ୍ଗଳ କାର୍ଯ୍ୟ ମୋର ସେମିତି ଚାଲିଥିଲା ଆଉ ଏବେ ବି ଚାଲିଛି। ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ଏହି ଝୁଙ୍କ୍ ମୋର ସ୍କୁଲ୍, କଲେଜବେଳୁ ଆରମ୍ଭ। ଗାଁରେ କେଉଁଠି ରାସ୍ତା ନାହିଁ, କେଉଁଠି ନିଆଁ ଲାଗିଗଲା, କେଉଁଠି ପୋଖରୀ ଖୋଳାହେବ, ବିଭିନ୍ନ ପୂଜାପର୍ବ କେମିତି ହେବ, ପଇସା ଅଭାବରୁ କାହାର ଚିକିତ୍ସା ହୋଇପାରୁନି, କିଏ ପାଠ ପଢ଼ିପାରୁନି, କାହାକୁ ରକ୍ତ ଦରକାର, କେଉଁ ଶ୍ରମିକର ଦରମା କଟିଯାଇଛି କି କାହାର ଇପିଏଫ୍ ମିଳିପାରୁନି, ଏସବୁ କଥାରେ ଲୋକେ ମୋତେ ହିଁ ଖୋଜିଥାନ୍ତି। ଆଉ ସେମାନଙ୍କୁ ସାହାଯ୍ୟ କରିବାରେ ମୋତେ ମିଳିଥାଏ ପରମତୃପ୍ତି ଆଉ ଅପୂର୍ବ ଶାନ୍ତି। ପ୍ରତିଦିନ ସକାଳ ହେଲା ମାତ୍ରେ ମୁଁ ବିଭିନ୍ନ ଡାକ୍ତରଖାନାକୁ ଯାଇ ସେଠି କେଉଁ ରୋଗୀଙ୍କର କ’ଣ ଚିକିତ୍ସା ହେଲା, କାହାର କ’ଣ ଦରକାର, କାହାର କ’ଣ ଅସୁବିଧା ରହିଲା ସବୁ କଥା ବୁଝେ ଆଉ ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥାଏ। ଏଥିପାଇଁ ଟଙ୍କା କୁଆଡୁ ଆସେ ବୋଲି ଭାବୁଛନ୍ତି ନା! ଇଚ୍ଛାକୃତ ଅବସର ନେଇଥିଲେ ହେଁ ରାଜ୍ୟ ସରକାରଙ୍କ ତରଫରୁ ମୋତେ ପ୍ରତିମାସ କିଛି ଇପିଏଫ୍ ପେନ୍ସନ୍ ମିଳେ, ଆଉ ସେହି ଟଙ୍କାକୁ ସମ୍ପୂର୍ଣ୍ଣଭାବେ ମୁଁ ଏହିସବୁ କାମରେ ଖର୍ଚ୍ଚ କରି ଦେଇଥାଏ। ଘରେ ମୋର ସ୍ତ୍ରୀ ଆଉ ପିଲାମାନେ ବି ଅଛନ୍ତି। ସ୍ତ୍ରୀ ଯେହେତୁ ଚାକିରି କରିଛନ୍ତି, ତେଣୁ ମୋର ବ୍ୟକ୍ତିଗତ ଖର୍ଚ୍ଚ ସହ ଘର, ପିଲାମାନଙ୍କ କଥା ସବୁକିଛି ସିଏ ହିଁ ବୁଝିଥାନ୍ତି। ମୋତେ କେବେ ବି ପ୍ରତିବାଦ କରିନାହାନ୍ତି। ସମାଜସେବା ବାଦ୍ ମୁଁ ସ୍ବାସ୍ଥ୍ୟ, ଶିକ୍ଷା, ସେବା ତଥା ଆଦର୍ଶଭିତ୍ତିକ କେତୋଟି ପ୍ରବନ୍ଧ ଲେଖି ଅନେକ ପାଠକୀୟ ପ୍ରଶଂସା ମଧ୍ୟ ପାଇଛି।