Categories: ଫୁରସତ

ପ୍ରଥମ ଉପାର୍ଜିତ ଅର୍ଥରେ ବହି କିଣିଥିଲି: ଡ. ଅଜୟ କୁମାର ତ୍ରିପାଠୀ

୧୯୯୨ ମସିହାର ଏକ ଶୀତୁଆ ସନ୍ଧ୍ୟା। ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ମୁଁ ଫେରି ଆସିଥାଏ ମୋ ସହର ଛତ୍ରପୁରକୁ। ହଠାତ୍‌ ଡାକରା ଆସିଲା ବ୍ରହ୍ମପୁର ଆକାଶବାଣୀରୁ କବିତା ପଢ଼ିବା ନିମନ୍ତେ। ଏଠାରେ କହି ରଖିବାକୁ ଚାହେଁ ଯେ, ପାଠପଢ଼ା ସାଙ୍ଗକୁ ଗପ, କବିତା ଲେଖିବା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେବା ତଥା ନାଟକ ଭଳି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ବି ମୋର ସେତେବେଳେ ବେଶ୍‌ ଆଗ୍ରହ ରହିଥାଏ। ଏଥିସହିତ କିଛି ଜଣାଶୁଣା ବ୍ୟକ୍ତିତ୍ୱଙ୍କ ସହ ମୋର ପରିଚୟ ବି ହୋଇଥାଏ। ସେମିତି ଜଣେ ବ୍ୟକ୍ତି ହେଲେ ବ୍ରହ୍ମପୁର ଆକାଶବାଣୀର ତତ୍କାଳୀନ ଆସିଷ୍ଟାଣ୍ଟ ଡାଇରେକ୍ଟର ହୃଷୀକେଶ ପାଣିଗ୍ରାହୀ। ତାଙ୍କଠାରୁ କବିତା ପଢ଼ିବା ନିମନ୍ତେ ନିର୍ଦ୍ଦେଶ ପାଇବା ପରେ ମୁଁ ପୁଲକିତ ହୋଇ ଉଠିଥିଲି, ଆଉ ପରଦିନ ଠିକ୍‌ ସମୟରେ ଯାଇ ପହଞ୍ଚତ୍ ଯାଇଥିଲି ଆକାଶବାଣୀ ଅଫିସ୍‌ରେ। ସେଠି ୩ଟି କବିତା ପାଠକଲି ଏବଂ ପ୍ରତିଦାନରେ ପାଇଥିଲି ୧୫୦ ଟଙ୍କା। ୧୯୯୨ ମସିହାରେ ୧୫୦ ଟଙ୍କାର ମୂଲ୍ୟ ଢେର୍‌ ଥିଲା। ଖୁସିରେ ଟଙ୍କାଟିକୁ ଧରି ଫେରିଥିଲି ଛତ୍ରପୁରକୁ। ସେଦିନ ସାରା ରାତି ମୋ ଆଖିକୁ ନିଦ ନ ଥିଲା। ହାତରେ ସେମିତି ଟଙ୍କାଟିକୁ ଧରି ଏପଟସେପଟ କରୁଥିଲି। କାରଣ ଏହା ଥିଲା ମୋ ଜୀବନର ପ୍ରଥମ ଉପାର୍ଜିତ ଅର୍ଥ। ଅବଶ୍ୟ ଏହା ପୂର୍ବରୁ ପ୍ରବନ୍ଧ ଓ ନିବନ୍ଧ ପ୍ରତିଯୋଗିତା ପାଇଁ କିମ୍ବା ୟୁନିର୍ଭସିଟି ଚାମ୍ପିୟନ୍‌ ପାଇଁ ମୋତେ ଅନେକ ପୁରସ୍କାର ରାଶି ମିଳି ସାରିଥିଲା। କିନ୍ତୁ ସେ ସବୁକୁ ମୁଁ କଷ୍ଟ ଉପାର୍ଜିତ ଧନ ବୋଲି ଭାବୁ ନ ଥିଲି; ତାହା ମୋ ପାଇଁ କେବଳ ପୁରସ୍କାର ହିଁ ଥିଲା। ହେଲେ ଆକାଶବାଣୀରୁ ପାଇଥିବା ଟଙ୍କା ହିଁ ଥିଲା ମୋର ପ୍ରଥମ କଷ୍ଟ ଉପାର୍ଜିତ ରୋଜଗାର; ଯାହାକି ମୋ ମନରେ ବିଶ୍ୱାସ ଭରି ଦେଇଥିଲା, ‘ମୁଁ ଜୀବନରେ କିଛି କରିପାରିବି ବୋଲି’। ଏହି ବିଶ୍ୱାସଟି ସେଦିନର ସେହି ରାତ୍ରି ଉଜାଗର ନିମନ୍ତେ ଏକ ବିରାଟ କାରଣ ଭାବରେ ଠିଆ ହୋଇଥିଲା ଏବଂ ତାହା ଥିଲା ଜୀବନର ଶ୍ରେଷ୍ଠ ଉପଲବ୍ଧି। ଅବଶ୍ୟ ପରଦିନ ବଜାରରୁ କିଛି ବହି କିଣି ମୁଁ ସେହି ଅର୍ଥର ସଦୁପଯୋଗ କରିଥିଲି; ଯେଉଁ ବହିଗୁଡ଼ିକ ଆଜି ବି ମୋ ପାଖରେ ସେମିତି ଅଛି ଆଉ ପୁରୁଣା ସ୍ମୃତିକୁ ମଝିରେ ମଝିରେ ମୋତେ ମନେ ପକାଇ ଦେଉଛି। ତେବେ ଜୀବନର ଚଲାପଥରେ ପାଦ ଆଗକୁ ଆଗକୁ ପକାଇ ସାହିତ୍ୟ କ୍ଷେତ୍ରରେ ହେଉ ଅବା ଓଡ଼ିଆ ଅଧ୍ୟାପନା କ୍ଷେତ୍ରରେ କିମ୍ବା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଯୁବ ରେଡକ୍ରସ୍‌ ଅଧିକାରୀ ଭାବେ କାମ କରି ଯଶ କମାଇବା ସହ ଯଥେଷ୍ଟ ଅର୍ଥ ଉପାର୍ଜନ କରୁଥିଲେ ହେଁ, ସେଦିନର ସେହି ୧୫୦ ଟଙ୍କାର ଖୁସି ଆଗରେ ତାହା କମ୍‌ ଲାଗୁଛି।

Share