ପ୍ରଥମ ରୋଜଗାର ଖୁସିକୁ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ କ’ଣ ଅଛି! ଏମିତି ଲାଗିଥିଲା ଏହା ମୋତେ ବେଜାଏ ଖୁସି ସହ ମେଞ୍ଚାଏ ଆତ୍ମବିଶ୍ୱାସ ଦେଇଥିଲା। ମୋ ବୋଉର ଖଡୁ ବିକି ମୁଁ ରେଭେନ୍ସାରେ ଆଡ଼ମିଶନ୍ କରିଥିଲି। ଆମ ଅଞ୍ଚଳର ମୁଁ ଥିଲି ପ୍ରଥମ ସାଇକେଲ ଚଢାଳି ଏବଂ ମାଟ୍ରିକ୍ରେ ଅଧିକ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ପ୍ରଥମ ଝିଅ। ଅଭାବୀ ଘର ନୁହେଁ ତଥାପି ଚାଷୀ ଘର ପିଲା। ମାତ୍ର ବନ୍ୟାରେ ଆମର ସବୁ ଜମି ଧୋଇ ହୋଇ ଯାଇଥାଏ। ଖାଇବାକୁ ମିଳୁ ନ ଥାଏ। ଭାଇ ପଚାରିଲେ ”ତୁ କେଉଁଠି ପଢିବୁ?“ ମୋର ଉତ୍ତର ଥିଲା ରେଭେନ୍ସା।
ପ୍ରଥମ ସିଲେକ୍ସନରେ ମୋ ପାଖକୁ ଆଡ଼ମିଟ୍ କାର୍ଡ ଆସିଗଲା। କିନ୍ତୁ ଭାଳେଣି ପଡିଲା ଟଙ୍କା କେଉଁଠୁ ଆସିବ। ବୋଉର ରୁପା ଖଡୁ ଯାହାକି ପାଖାପାଖି ତିରିଶି ଭରି ଥିଲା; ସେଇଟି ବିକ୍ରି କରି ରେଭେନ୍ସାରେ ମୋ ନାଁ ଲେଖା ହେଲା। ଗୋଟେ କାଠ ବାକ୍ସ ଭର୍ତ୍ତି ରୁପା ଗହଣା ଓ କେତୋଟି ରୁପା ଟଙ୍କା ମୋ ପଢ଼ାରେ ବିନିଯୋଗ ହୋଇଥିଲା। +୩ ପ୍ରଥମ ବର୍ଷ ହୋଇଥାଏ। ଛୁଟିରେ ଗାଁକୁ ଆସିଥାଏ। ତିନୋଟି ପିଲା ମାଟ୍ରିକ୍ରେ ବିଜ୍ଞାନ, ସଂସ୍କୃତ ଓ ଇଂରାଜୀ ବିଷୟରେ ଫେଲ୍ ହୋଇଥିବାରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଫର୍ମ ଫିଲପ୍ କରିଥାନ୍ତି। ସେମାନଙ୍କ ବାପାମା’ ମୋ ପାଖକୁ ଆସି ବହୁ ଅନୁନୟ ବିନୟ ହେଲେ ତାଙ୍କ ପିଲାଙ୍କୁ ଛୁଟିରେ ଟିକେ ପଢେଇବାକୁ। ମୋ ଭାଇ ମନା କଲେ ଆଉ କହିଲେ, ଯଦି ସେମାନଙ୍କୁ ପଢେଇବୁ ତା’ହେଲେ ତୁ କେତେବେଳେ ପଢିବୁ କହ। ଭାରି କାନ୍ଦୁଣୁ ମାନ୍ଦୁଣୁ ହେଲେ ସେଇ ତିନୋଟି ପିଲାଙ୍କ ବାପାମା’। ମାସେ ତ ଛୁଟି ଅଛି ଆସନ୍ତୁ ବୋଲି ଭାଇଙ୍କୁ ବୁଝାଇଲି। ମାସେ ପନ୍ଦର ଦିନ ପରେ ସେମାନଙ୍କ ପରୀକ୍ଷା ହେଲା। ଆଶ୍ଚର୍ଯ୍ୟ ଚକିତ କରି ସେ ତିନି ଜଣ ପିଲା ସେକେଣ୍ଡ କ୍ଲାସ ନମ୍ବର ରଖିଲେ ସେଇ ନିର୍ଦ୍ଦିଷ୍ଟ ତିନୋଟି ବିଷୟରେ।
ଭଲ ପଢିବା ଝିଅ ହିସାବରେ ରେକର୍ଡ ତ ଥିଲା। ଏ ତିନି ଜଣ ପିଲା ପାସ୍ କରିବା ପରେ ଗୋଟେ ହାଇସ୍କୁଲ ମୋତେ ପନ୍ଦର ଦିନେ ଥରେ କଲେଜରୁ ଆସି ଇଂରାଜୀ କ୍ଲାସ ନେବାକୁ ଡାକିଲେ କିନ୍ତୁ ଭାଇ ମନା କଲେ। ଏଠାରେ କହି ରଖେ ଯେ, ସେ ତିନି ପିଲାଙ୍କଠାରୁ ଗୋଟେ ପଇସା ଆଣି ନ ଥିଲି; ମାତ୍ର ଏହା ପରଠାରୁ ପଢାଇବା ପାଇଁ ମୋର ଏତେ ଡିମାଣ୍ଡ ହେଲା ଯେ ପାଖ ଆଖ ପାଞ୍ଚ/ଛଅ ଖଣ୍ଡି ଗାଁର ଦଶମ ଶ୍ରେଣୀ ପିଲା ଦିନେ ଦୁଇ ଦିନ ଘରକୁ ଗଲେ ବି ପଢିବାକୁ ଆସିଲେ।
ଏହା ପରଠାରୁ ମୋ ଜୀବନ ରାସ୍ତା ବଦଳି ଗଲା। +୩ ଫାଇନାଲ ପରୀକ୍ଷା ଦେଇ ଗାଁକୁ ଯାଇଥାଏ। ଆମ ଘରେ ପିଲାଙ୍କ ଭିଡ଼। ଦୁଇଜଣ ପିଲା ମାସ ଶେଷରେ ୧୬୦ ଟଙ୍କା ଆଣି ବହି ଖାତା କିଣିବା ପାଇଁ ସେମାନଙ୍କ ବାପା ଦେଇଛନ୍ତି କହି ଦେଲେ। ସେଇ ଥିଲା ମୋ ଜୀବନର ପ୍ରଥମ ରୋଜଗାର; ଯାହାକୁ ମୁଁ ମୋ ବୋଉ ହାତକୁ ଖୁସିରେ ବଢେଇ ଦେଇଥିଲି, ନେ ପାନ ଖାଇବୁ ବୋଲି। ବୋଉର ପାନ ପ୍ରତି ଥିଲା ବହୁତ ଦୁର୍ବଳତା। ସେ ବଲ ବଲ ହୋଇ ମୋ ମୁହଁକୁ ଚାହିଁ ରହିଲା। ତା’ ଚାହିଁବା ଜଣେଇ ଦେଉଥିଲା ଯେ ମୁଁ ଯେମିତି ଏକ ଅସାଧାରଣ କାର୍ଯ୍ୟ କରିଛି। କଥା ହେଲା ମୋର ଜନ୍ମ ହେବାକୁ ନେଇ ବୋଉ ସେହି ସମୟରେ ଆଦୌ ମାନସିକ ଭାବରେ ପ୍ରସ୍ତୁତ ନଥିଲା। ମୁଁ ଏମିତି ଜବରଦସ୍ତ ଭାବରେ ପୃଥିବୀକୁ ଆସିଯାଇଥିଲି ସମସ୍ତଙ୍କ ନଚାହିଁବା ସତ୍ତ୍ୱେ।
ତେବେ ସେ ଯାହା ହେଉ ଆସ୍ତେଆସ୍ତେ ମୋ ପାଖେ ପଢିବାକୁ ପିଲାଙ୍କ ସଂଖ୍ୟା ବଢିଲା। ମାସକ ପରେ ମୋ ପାଖରେ ଛଅ ହଜାର ଟଙ୍କା ହୋଇ ଯାଇଥିଲା ସେଇ ପଢେଇବାରୁ। ତେଣୁ ଏମ୍.ଏ. ଓ ବିଇଡି ପଢିବା ଖର୍ଚ୍ଚ ଆଉ ଘରୁ ନେଇ ନଥିଲି। ବରଂ ମୋ ଭାଇଙ୍କ ପିଲାଙ୍କ ପାଇଁ ଡ୍ରେସ୍ ପତ୍ର ଓ ବହି ଖାତା କିଣି ଦେବାରେ ସମର୍ଥ ହୋଇଥିଲି। ଆଜି ହୁଏତ ସେଇ ଅବସ୍ଥା ମୋର ନାହିଁ। ବଡ଼ ଘର ବୋହୂ ଏବଂ ଅଧିକ କିଛି ରୋଜଗାର ପାଇଁ ସରକାରୀ ଚାକିରୀଟାଏ ଅଛି, କିନ୍ତୁ ପ୍ରଥମ ୧୬୦ ଟଙ୍କାକୁ ହାତରେ ଧରିବା ବେଳର ସେହି ମାନସିକ ସ୍ତରର ଅନୁଭବ ଓ ଖୁସି ଏଯାଏଁ ଆଉ ପାଇ ନାହିଁ।