ଦୁଇ ହଜାର ତିନି ଅକ୍ଟୋବର ମାସର କଥା। ତାରିଖ ଅବଶ୍ୟ ଠିକ୍ସେ ମନେପଡୁନି କିନ୍ତୁ ସେଦିନ ସୋମବାର ଥିବା ଯୋଗୁ ସାଙ୍ଗମାନଙ୍କ ସହ ମୁଁ ଶିବ ମନ୍ଦିରକୁ ଯାଇଥାଏ। କୃତିତ୍ୱର ସହ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ପରେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥାଏ। ନିଜ ସାମର୍ଥ୍ୟ ବଳରେ କିଛି ଗୋଟେ କରିପାରିବାର ଦୃଢ଼ ଆତ୍ମପ୍ରତ୍ୟୟକୁ ଭରସି ବାଟ ଚାଲୁଥାଏ ଅନେକ ଆଶା ଓ ଆଶଙ୍କାକୁ କୋଳେଇ ନେଇ। ମନ୍ଦିର ଫେରନ୍ତା ବାଟରେ ହଠାତ୍ ଆଶ୍ଚର୍ଯ୍ୟ କଲାଭଳି ଚିହ୍ନା ପୋଷ୍ଟମ୍ୟାନ୍ ଜଣକ ମୋତେ ଡାକି ମୋ’ ହାତକୁ ବଢ଼ାଇ ଦେଇଥିଲେ ଧଳା ଲଫାପାଟିଏ। ଲଫାପାଟିକୁ ଦେଖିସାରି ଖୋଲିବା ବେଳକୁ ଆଷାଢ଼ର ମାଟିଗନ୍ଧ ପରି ମୋତେ ମହକିତ କରିସାରିଥିଲା କ୍ଷୀଣ ଅଥଚ ନିବିଡ଼ ଆଶ୍ୱସ୍ତିର ମୁଗ୍ଧ ଶିହରଣ। ନିଜ ଜିଲା ରାୟଗଡ଼ରେ ଓ ଘର ପଦ୍ମପୁରଠାରୁ ପ୍ରାୟ ୬୦ କି.ମି ଦୂରରେ ଅବସ୍ଥିତ ଗୋଟେ ସୁପ୍ରତିଷ୍ଠିତ ବେସରକାରୀ ଶିଳ୍ପଶାଳାର ନିଯୁକ୍ତିପତ୍ର ମୋତେ କୌଣସି ଗୁଣରେ ନୂ୍ୟନ କି ସାମାନ୍ୟ ମନେହେଲା ନାହିଁ ବରଂ ମୋ’ ପାଠ ସହ ସଂଶ୍ଳିଷ୍ଟ କର୍ମନିଯୁକ୍ତି ମୋତେ ସତେଜତା ଓ ପ୍ରସନ୍ନତାରେ ଭରିଦେଲା। ରସାୟନବିତ୍ ପଦବୀରେ ଆରମ୍ଭ ହେଲା ମୋ’ ଚାକିରି ଜୀବନ। ପ୍ରଥମେ ତିନି ହଜାର ପାଞ୍ଚଶହ ପରେ ଚାରି ହଜାର ଟଙ୍କାର ଷ୍ଟାଇପେଣ୍ଡରେ ଦୁଇବର୍ଷର ଟ୍ରେନିଂ ଓ ତା’ପରେ ସ୍ଥାୟୀ ନିଯୁକ୍ତି। ପ୍ରତି ସପ୍ତାହରେ ଶନିବାର ଅଫିସ ପରେ ସାରେ ବସ୍ ଯୋଗେ ଘରକୁ ଫେରୁଥିଲି ଓ ସୋମବାର ସକାଳେ ପୁଣି ବାହୁଡୁଥିଲି କର୍ମକ୍ଷେତ୍ରକୁ। ଏବେ ବି ମନେପଡ଼େ ମୋ’ ପ୍ରଥମ ଦରମା କଥା। ସବୁ କଟାକଟି ପରେ ପ୍ରଥମ ମାସରେ ଦୁଇ ହଜାର ସାତଶହ ଟଙ୍କାର ଚେକ୍ ପାଇବା ବେଳକୁ ଭିନ୍ନ ଏକ ଆତ୍ମତୃପ୍ତିର ଉଲ୍ଲାସରେ ମୁଁ ପ୍ରାୟ ଶିହରିତ ହୋଇଉଠିଥିଲି। ସହର୍ଷେ ଚେକ୍ଟିକୁ ନେଇ ମୁଁ ରହୁଥିବା ହଷ୍ଟେଲ ସନ୍ନିକଟ ଷ୍ଟେଟ୍ବ୍ୟାଙ୍କରେ ଖାତାଟିଏ ଖୋଲିଥିଲି ସେତେବେଳେ। ସେଥର ଘରକୁ ଫେରିଲାବେଳେ କିଲେ ମିଠା ବ୍ୟତୀତ ଆଉ ଅଧିକ କିଛି ନେଇପାରି ନ ଥିଲି। ଘରେ ପହଞ୍ଚିଲା ବେଳକୁ ସବୁଥର ପରି ନୀରବ ନିର୍ବିକାର ଭାବେ ନନା ବସିଥାନ୍ତି ଆମ ଦାଣ୍ଡ ଅଗଣା ନିକଟ ପାହାଚରେ। ଯେମିତି ସେ ବସିଥାନ୍ତି ପ୍ରତି ଶନିବାର ରାତିରେ କେବଳ ମୋରି ଅପେକ୍ଷାରେ। ଚୁପ୍ଚାପ୍ ତାଙ୍କ ନିକଟକୁ ଯାଇ ପାଦ ଛୁଇଁ ପ୍ରଣାମ କଲି। ମୋତେ ଦେଖି ସୁନ୍ଦର ଏକ ଚନ୍ଦ୍ରୋଦୟ ଭଳି ନନାଙ୍କ ମୁହଁରେ ପ୍ରସନ୍ନତାର ଚମକ ମୋତେ ଏକ ପ୍ରୀତିପୂର୍ଣ୍ଣ ଓ ଭକ୍ତିପୂର୍ଣ୍ଣ ଆବେଗରେ ମୁଗ୍ଧ କଲା। ମୁଁ ଅବଶ୍ୟ ଲକ୍ଷ୍ୟ କରିଥିଲି ମୁଁ ଚାକିରି ପାଇବା ପରେ ନନାଙ୍କ ପରିବର୍ତ୍ତିତ ମାନସିକ ସ୍ଥିତିକୁ। ତାଙ୍କ ଭିତରେ ଅସମ୍ଭବ ଖୁସିର ବୀଜ ରୋପଣ କରିପାରିଛି ବୋଲି ମୁଁ ନିଜକୁ ବେଳେବେଳେ ଧନ୍ୟ ମନେ କରୁଥାଏ। ଏତିକି ବେଳକୁ ହୁଏତ ମୁଁ ନିଜକୁ ସମ୍ଭାଳି ପାରି ନ ଥିଲି। ଏକ ଅବ୍ୟକ୍ତ ଉତ୍ସାହରେ ଧରିଯାଇଥିବା ସବୁତକ ଟଙ୍କା ପକେଟ୍ରୁ ବାହାର କରି ଚୁପ୍ଚାପ୍ ବଢ଼େଇଦେଲି ନନାଙ୍କ ଉଦ୍ଦେଶ୍ୟରେ। ସେ ସେମିତି ଚାହିଁ ରହିଥାନ୍ତି ମୋତେ ଏକ ଅବିଶ୍ୱସନୀୟ ନୟନରେ। ସେ କିଛି ପଚାରିବା ଆଗରୁ ମୁଁ କହିଥିଲି ମୋ’ ପ୍ରଥମ ଦରମା କଥା। ମୁଁ ଦେଖୁଥିଲି ତାଙ୍କ ଆଖିର ନିୟନ୍ତ୍ରଣରହିତ ବିହ୍ବଳତା ଓ ତହିଁରୁ ନିଗିଡ଼ି ପଡ଼ୁଥିବା ଦୁଇଟୋପା ଆନନ୍ଦର ମୁକ୍ତାବିନ୍ଦୁ। ଅତି ଆଦରରେ ନନା କୁଣ୍ଢେଇ ପକାଇଲେ ମୋତେ। ନନାଙ୍କ ଝାଳୁଆ ଦେହରେ ଜଡ଼େଇ ରହିବା ବେଳକୁ ମୋ ଭିତରେ ସଂଚରି ଯାଉଥିଲା ଦିଗନ୍ତବ୍ୟାପୀ ଖୁସିର ପ୍ଲାବନ। କେବେ ଭୋଗି ନ ଥିବା ତୃପ୍ତିର ଆନନ୍ଦ କ୍ରମଶଃ ବ୍ୟାପକ ଓ ବିପୁଳ ହୋଇପଡ଼ୁଥିଲା ମୋ ଆଭ୍ୟନ୍ତରରେ।