ପ୍ରଥମେ ମୋ ପାଠପଢ଼ା ଆରମ୍ଭ ହୋଇଥିଲା ଚଣ୍ଡିଗଡ଼ରୁ। କାରଣ ବାପା ପ୍ରଫେସର ଡା. ରମାରମଣ ଷଡ଼ଙ୍ଗୀ ସେତେବେଳେ ପିଜିଆଇ ଚଣ୍ଡିଗଡ଼ରେ ହାର୍ଟ ସର୍ଜରିରେ ଏମ୍ସିଏଚ୍ (ସୁପର ପିଜି) କରୁଥିଲେ ଏବଂ ମା’ ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ ବି ସେହିଠାରେ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ପୋଷ୍ଟ ଗ୍ରାଜୁଏଟ୍ କରୁଥିଲେ। ତେଣୁ ମୁଁ ଓ ମୋ ସାନ ଭଉଣୀ ସୋନାଲି ସେଠାରେ ପଢ଼ୁଥିଲୁ। ବାପାମା’ ଯେବେ ଏସ୍ସିବି ମେଡିକାଲ କଲେଜରେ ଜଏନ୍ କଲେ ମୁଁ ସେତେବେଳେ କଟକ ଷ୍ଟୁଆର୍ଟ ସ୍କୁଲରେ ପଢ଼ିଲି। ଷ୍ଟାଣ୍ଡାର୍ଡ -୯ରେ ପଢ଼ିଲାବେଳେ ବାପା ନ୍ୟୁଜିଲାଣ୍ଡର ଡୁନେଡିନ ହସ୍ପିଟାଲରେ ଓପନହାର୍ଟ ସର୍ଜରିରେ ଉଚ୍ଚତର ତାଲିମ ନେବା ପାଇଁ ଯାଇଥାନ୍ତି। ଫେରିଲାବେଳକୁ ମୋ ପାଇଁ ଗୋଟିଏ ଭିଡିଓ କ୍ୟାମେରା ଆଣିଥାନ୍ତି। ନ୍ୟୁଜିଲାଣ୍ଡରୁ ଫେରିବାର ଅଳ୍ପ କିଛିଦିନ ପରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ହାତ ଓ ପାପୁଲି ସମ୍ପୂର୍ଣ୍ଣ କଟିଯାଇଥିବାରୁ ବାପା ଓ ଅନ୍ୟ ଡାକ୍ତରମାନେ ମିଶି ସେଇ କଟାହାତକୁ ଦୀର୍ଘ ୧୪ଘଣ୍ଟା ପରିଶ୍ରମ କରି ଯୋଡିଥିଲେ। ମୁଁ ସେ ସବୁକୁ ଭିଡିଓ କ୍ୟାମେରାରେ ରେକର୍ଡିଂ କରିଥିଲି ଏବଂ ତାହା ହିଁ ମତେ ଜଣେ ହାର୍ଟ ସର୍ଜନ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ତେବେ ଷ୍ଟୁଆର୍ଟ ସ୍କୁଲରୁ ଆଇସିଏସ୍ଇ ପାସ୍ କରି ରେଭେନ୍ସା କଲେଜରେ ପଢିଲି ଏବଂ ପରେ ଏସ୍ସିବି ମେଡିକାଲ କଲେଜରେ ପଢିଲି। ହାଉସ୍ମେନ୍ଶିପ୍ ଆରମ୍ଭ କଲାବେଳେ ହିଁ ୫୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିଲା; ଯାହାକି ଥିଲା ମୋ ପ୍ରଥମ ରୋଜଗାର। ସବୁ ଟଙ୍କା ନେଇ ମା’ଙ୍କୁ ଦେଲି। ମା’ ଟଙ୍କା ଫେରାଇ ଦେଇ କହିଲେ, ଠାକୁରଙ୍କ ପାଖେ ଭୋଗ ଲଗାଇଦେ। ତେଣୁ ମିଠା କିଣି ପ୍ରଥମେ ଘର ଠାକୁର ଏବଂ ପରେ ଚଣ୍ଡୀ ମନ୍ଦିରକୁ ଯାଇ ଭୋଗ ଲଗାଇଥିଲି। ତା’ପରେ ବାପାଙ୍କ ପାଇଁ ଗୋଟେ ନୂଆ ଶାର୍ଟ ଓ ମା’ଙ୍କ ପାଇଁ ସବୁଜ ରଙ୍ଗର ସିଲ୍କ ଶାଢି ଏବଂ ଭଉଣୀ ପାଇଁ ହଳେ ଡ୍ରେସ୍ କିଣିଥିଲି। ଏବେ ବି ମା’ ସେହି ଶାଢିଟିକୁ ସାଇତି ରଖିଛନ୍ତି। ତେବେ ଏହି ଘଟଣାର କିଛି ଦିନ ପରେ ମୁଁ ଅଲ୍ ଇଣ୍ଡିଆ ପିଜି ପାଇ ଗ୍ରାଣ୍ଟମେଡିକାଲ କଲେଜ ମୁମ୍ବାଇରେ ଜେନେରାଲ ସର୍ଜରିରେ ଏମ୍ଏସ୍ ଓ ପିଜିଆଇ ଚଣ୍ଡୀଗଡ଼ରେ ହୃଦ୍ବକ୍ଷ ଶଲ୍ୟ ବିଭାଗରେ ଏମ୍ସିଏଚ୍ କଲି। ଏହାବାଦ୍ ଆମେରିକା ରଚେଷ୍ଟରର ମେୟୋକ୍ଲିନିକ୍ରୁ କାର୍ଡିଆକ୍ ସର୍ଜରି, ଚିକାଗୋର ‘ରସ୍ ୟୁନିଭର୍ସିଟି’ କାର୍ଡିଆକ୍ ସେଣ୍ଟରରେ ଥୋରାସିକ୍ ସର୍ଜରି, ୱାଶିଂଟନ୍ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନ୍ରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଏବଂ ମେକାନିକାଲ ସର୍କୁଲେଟରି ସପୋର୍ଟ ସିଷ୍ଟମରେ ଫେଲୋଶିପ୍ ବି କରିଛି। ଆଉ ଏବେ ଇଲିନୋଇସର ପିଓରିଆଠାସ୍ଥିତ ଓଏସ୍ଏଫ୍ ହେଲ୍ଥ କେୟାର ହାର୍ଟ ଇନଷ୍ଟିଚ୍ୟୁଟ୍ରେ କନସଲ୍ଟାଣ୍ଟ କାର୍ଡିଆକ୍ ସର୍ଜନ ଭାବରେ ଓପନ୍ ହାର୍ଟ ସର୍ଜରି ଓ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଇଲିନୋଇସ ଯୁନିଭର୍ସିଟିର ଡିପାର୍ଟମେଣ୍ଟ ଅଫ୍ ସର୍ଜରିର ଆସିଷ୍ଟାଣ୍ଟ ପ୍ରଫେସର ଓ ଇକ୍ମୋ ଥେରାପିର ସର୍ଜିକାଲ ଡାଇରେକ୍ଟର ଅଛି। ସୂଚନାଯୋଗ୍ୟ, ଆମ ଟିମ୍ ଗତ ଦେଢବର୍ଷ ଭିତରେ ସଫଳତାର ସହ ୧୪ଟି ହୃଦ୍ ପ୍ରତିରୋପଣ କରି ଇଲିନୋଇସ୍ ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ ହେଲ୍ଥ (ଆଇଡିପିଏଚ୍) ତଥା ଆମେରିକାର ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ସ୍ବତନ୍ତ୍ର ସ୍ବୀକୃତି ପ୍ରାପ୍ତ କରିଛି। ସେଠାକାର ଅର୍ଡର ଅଫ୍ ଦି ସେଣ୍ଟ ଫ୍ରାନ୍ସିସ ମେଡିକାଲ ସେଣ୍ଟର (ଓଏସ୍ଏଫ୍) ଅଧୀନରେ ମୁଁ କରିଥିବା ହୃଦ୍ ପ୍ରତିରୋପଣକୁ ଆମେରିକାନ୍ ସୋସାଇଟି ଅଫ୍ ଥୋରାସିକ୍ ସର୍ଜନ (ଏସ୍ଟିଏସ୍) ପକ୍ଷରୁ ‘ଥ୍ରୀ ଷ୍ଟାର’ ରେଟିଂ ମିଳିଛି; ଯାହା ପ୍ରତିରୋପଣ ଅସ୍ତ୍ରୋପଚାର କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ବୀକୃତି। ଏଥିସହ ଇକ୍ମୋ ଚିକିତ୍ସା ମାଧ୍ୟମରେ ପ୍ରାୟ ଏକଶହ କରୋନା ରୋଗୀଙ୍କୁ ଆରୋଗ୍ୟ କରିଥିଲି। ଯାହା ମତେ ଆତ୍ମସନ୍ତୋଷ ଦେଇଛି। ତେବେ ବାପା,ମା’ଙ୍କ ସହିତ ପତ୍ନୀ ଡା. ଶିଖା ଷଡ଼ଙ୍ଗୀ (ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ) ମୋତେ ପ୍ରେରଣା ଦେଇ ଆସିଛନ୍ତି। ଜୀବନରେ ଅନେକ ଟଙ୍କା ରୋଜଗାର କରିଛି ସତ, ହେଲେ ପ୍ରଥମ ରୋଜଗାରର ମଧୁର ଅନୁଭବ ଟିକକ ଏବେବି ଅଭୁଲା ହୋଇ ରହିଛି।