ଗଞ୍ଜାମ ଜିଲା ହୁମ୍ମା ନିକଟସ୍ଥ ସୁବଳୟା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ସ୍କୁଲରେ ପଞ୍ଚମ ଯାଏଁ ପଢିବା ପରେ ପ୍ରାୟ ୨ କି.ମି ଦୂରରେ ଥିବା ପାଲୁର ଜଙ୍କସନ୍ସ୍ଥିତ ସରକାରୀ ଆଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାଁ ଲେଖାଇଲି। ଏହା ଥିଲା ୧୯୭୭ ମସିହାର ଘଟଣା। ସେତେବେଳେ ଆମ ଘରର ଆର୍ଥିକ ପରିସ୍ଥିତି ସେତେ ଭଲ ନଥିଲା। ବିନା ଚପଲରେ ଚାଲିଚାଲି ସ୍କୁଲ୍କୁ ଯିବାକୁ ପଡୁଥିଲା। ଆଉ ସ୍କୁଲ୍ ଯିବା ପୂର୍ବରୁ ଚାଷ କାମରେ ଘର ଲୋକଙ୍କୁ ସାହାଯ୍ୟ କରିବା ଥିଲା ମୋର ନିତିଦିନିଆ କାମ। ସବୁପରେ ବି ମୋର ପାଠ ଭଲ ହେଉଥିଲା। ଯେଉଁଥିପାଇଁ ମାଟ୍ରିକ୍ରେ ସ୍କୁଲ୍ ଟପ୍ପର ହୋଇଥିଲି। ତା’ପରେ ଗଞ୍ଜାମ କଲେଜରେ ପଢିଲି। ସେଠାରୁ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ସାରିବା ପରେ ଭଞ୍ଜନଗର ବନ ବିଭାଗରେ କିରାଣୀ ଚାକିରୀ ପାଇଲି। ଦରମା ମାସକୁ ୫୫୦ ଟଙ୍କା। ୧୯୮୫ ମସିହାରେ ୫୫୦ ଟଙ୍କାର ମୂଲ୍ୟ କିଛି କମ୍ ନଥିଲେ ବି ମୋତେ କିନ୍ତୁ ଅଣ୍ଟୁ ନଥିଲା। କାରଣ ଭଞ୍ଜନଗରରେ ଘରଭଡ଼ା ନେଇ ରହୁଥିଲି। ପ୍ରତିମାସ ଘରଭଡ଼ା ତା’ସାଙ୍ଗକୁ ପୁଣି ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ; ଏସବୁରେ ଦରମା ଟଙ୍କା କେମିତି ସରି ଯାଉଥିଲା ଜାଣିପାରୁ ନଥିଲି। ଏମିତି କେତେଥର ହେଇଛି ଚାକିରି କଲା ପରେ ବି ବୋଉ ମୋତେ ଓଲଟା ଖର୍ଚ୍ଚ ପାଇଁ ଟଙ୍କା ଦେଇଛି। ସତ କହିବାକୁ ଗଲେ ବୋଉ ହିଁ ଥିଲା ମୋ ଆଦର୍ଶମୟ ଜୀବନର ମାର୍ଗ ଦର୍ଶିକା। ତା’ରି ଆର୍ଶୀବାଦରୁ କିଛିଦିନ ପରେ ଚାକିରିରେ ପଦନ୍ନୋତି ପାଇ କିଛି ଅଧିକା ଦରମା ପାଇଲି। ତା’ପରେ ବୋଉ ପାଇଁ ଗୋଟେ ଶାଢି ଓ ବାପାଙ୍କ ପାଇଁ ଲୁଙ୍ଗି, ଟାଓ୍ବେଲ୍ କିଣି ତାଙ୍କୁ ଉପହାର ଦେଇଥିଲି; ସେମାନେ ବହୁତ ଖୁସି ହୋଇଥିଲେ। ପରେ ବିବାହ କରି ଘର ସଂସାର କଲି। ଆଉ ତା’ରି ଭିତରୁ ସମୟ ବାହର କରି ଓଡ଼ିଆରେ ଏମ୍.ଏ ଓ ଲ’ ମଧ୍ୟ ପଢିଲି। ଏବେ ମୁଁ ଘୁମୁସର ବନ ବିଭାଗରେ ସେକ୍ସନ ଅଫିସର୍ ଭାବେ କାର୍ଯ୍ୟରତ। ଆପାତତଃ ଭଲରେ ଚଳୁଛି। ତା’ସହିତ ଲେଖାଲେଖିରେ ରୁଚି ଥିବାରୁ କିଛି କବିତା ମଧ୍ୟ ଲେଖିଛି। ଲେଖିବାର ଧାରା କଲେଜ ପଢାବେଳୁ ଆରମ୍ଭ ହୋଇଛି। ୟା’ଭିତରେ ‘ଅନ୍ତହୀନ ଅନ୍ତର୍ଦାହ’, ‘ଛାଇ’, ‘ଢେଉ ସାମ୍ନାରେ’ ଶୀର୍ଷକ ୩ଟି କବିତା ସଂକଳନ ମୋର ପ୍ରକାଶ ପାଇସାରିଛି। ତା’ସହିତ ବନ ଚେତନା ସମ୍ପର୍କିତ ପ୍ରବନ୍ଧ ତଥ୍ୟ ଓ କବିତା ପୁସ୍ତକ ‘ବନ ସାଥୀ’ ବି ପ୍ରକାଶ ପାଇ ଅନେକ ପାଠକୀୟ ପ୍ରଶଂସା ପାଇଛି। ସେହିପରି ‘ଭକ୍ତି ନୈବେଦ୍ୟ’ ଶୀର୍ଷକ ଏକ ଜଣାଣ ଗୀତି ସଂକଳନ ବି ମୋର ରହିଛି। ତଥାପି ଲେଖାର ଅନ୍ତ ନାହିଁ କି ତୃଷ୍ଣା ମେଣ୍ଟି ନାହିଁ। ଏବେ ବି ଲେଖା ଜାରି ରହିଛି। ଏଥିସହିତ ଏକ ଐତିହ୍ୟ ସଂସ୍କୃତି ଭାଷା ସଂଗଠନ କରିଛି ଏବଂ ଦନ୍ତପୁର ଐତିହ୍ୟ ସଂସ୍କୃତି ଉପରେ ମଧ୍ୟ ଗବେଷଣା କରୁଛି। ଏତେ ସବୁ ଖୁସି ଭିତରେ ବି ଗୋଟେ ଦୁଃଖର ବିଷୟ ହେଉଛି ଯେ, ଏବେ ମୋ ପାଖରେ ଆଉ ମୋ ବୋଉ ନାହିଁ। ତା’ର ସେହି ମମତାଭରା ପଣନକାନିକୁ ଭାରି ଝୁରୁଛି।