ବାପା ଯେହେତୁ ସେକ୍ରେଟାରିଏଟ୍ରେ ଚାକିରି କରୁଥିଲେ, ତେଣୁ ମୋ ଜନ୍ମ ଆଉ ପାଠପଢ଼ା ସବୁକିଛି ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍-୯ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ବାପାଙ୍କର ନୟାଗଡ଼ ବଦଳି ହେବାରୁ ସେଠାରେ ଯୁକ୍ତ ୨ ପଢ଼ିଥିଲି। ତା’ପରେ ପୁରୀ ଏସ୍.ସି.ଏସ୍. କଲେଜରୁ ଏଜୁକେଶନ୍ ଅନର୍ସ ରଖି ଯୁକ୍ତ ୩ରେ ଟପ୍ପର ହେବା ପରେ ରେଭେନ୍ଶାରେ ପି.ଜି. କଲି। ସ୍ବପ୍ନ ଥିଲା ଅଧ୍ୟାପିକା ହେବାର। ସେଥିପାଇଁ ନିଜସ୍ବ ଚେଷ୍ଟାରେ ବିଭିନ୍ନ ବେସରକାରୀ କଲେଜରେ ଅଧ୍ୟାପନା କଲି, ସେ ପୁଣି ବିନା ପାରିଶ୍ରମିକରେ। ତେବେ ବିଧିବଦ୍ଧ ଭାବେ ୧୯୯୨ରେ ମୋର ପୋଷ୍ଟିଂ କାକଟପୁର ମହିଳା ମହାବିଦ୍ୟାଳୟରେ ହେଲା। ସେତେବେଳେ ଏହି କଲେଜଟି ମ୍ୟାନେଜ୍ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ୭୦୦ ଟଙ୍କା ଦରମା ପାଉଛି ବୋଲି କେବଳ ଖାତାରେ ସାଇନ୍ କରୁଥିଲି ହେଲେ ମୋ ହାତକୁ କିଛି ଆସୁ ନ ଥିଲା। କାରଣ ମୁଁ କଲେଜ ହଷ୍ଟେଲ୍ରେ ରହୁଥିଲି। ମୋର ରହିବା, ଖାଇବା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦ କଲେଜ ମୋ ଦରମା ଟଙ୍କାକୁ ସିଆଡୁ କାଟି ନେଉଥିଲା। ତା’ଛଡ଼ା ମୋ ହାତଖର୍ଚ୍ଚ ପାଇଁ ବାପା ଟଙ୍କା ପଠାଉଥିବାରୁ ଦରମା ପ୍ରତି ମୋର ସେତେ ଉତ୍କଣ୍ଠା ବି ନ ଥିଲା। ୨୦୦୦ ମସିହାରେ ମୋ ବାହାଘର ହେଲା। ଶାଶୁଘର ଯାଜପୁର ହୋଇଥିବାରୁ ଚାକିରି କରିବି ନା ଛାଡ଼ିବି ଦ୍ୱନ୍ଦ୍ୱରେ ଥାଏ। ହେଲେ ମୋ ସ୍ବାମୀଙ୍କ ପ୍ରେରଣା ଓ ସହଯୋଗ ଯୋଗୁ ପୁଣି ଚାକିରି କଲି। ଏମିତିରେ ୨୦୦୯ରେ ଗୋଟେ ଖୁସି ଖବର ଆସିଲା। ଆମ କଲେଜ ସରକାରୀ ଅନୁଦାନ ପରିସରଭୁକ୍ତ ହେଲା। ମନେମନେ ଅନେକ ସ୍ବପ୍ନ ଦେଖିଥିଲି, ଯେତେବେଳେ ମତେ ମୋର ଦରମା ମିଳିବ ମୁଁ ପ୍ରଥମେ ଆଣି ମୋ ସ୍ବାମୀଙ୍କ ହାତରେ ଦେବି। କାରଣ ମୋର ସଫଳତା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଆଉ ଜିଦ୍ ଥିଲା। ହେଲେ ମୋର ସେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। କାରଣ ମୋ ହାତରେ ମୋ ପ୍ରଥମ ଦରମାକୁ ଦେଖି ସେ କିଛି ଅନୁଭବ କରିପାରୁ ନ ଥିଲେ କି କିଛି କହିପାରୁ ନ ଥିଲେ। ଦୁର୍ଭାଗ୍ୟବଶତଃ ମସ୍ତିଷ୍କ ଆଘାତଜନିତ ଦୁର୍ଘଟଣା ଯୋଗୁ ସେ ନିଜର ମାନସିକ ଭାରସାମ୍ୟ ହରାଇ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ। ତେଣୁ ଖୁସି ହେବି କି ଦୁଃଖ କରିବି ଜାଣିପାରୁ ନ ଥିଲି। କିଛି ଶୂନ୍ୟତା ଆଉ କିଛି ପୂର୍ଣ୍ଣତା ଏଇ ଭିତରେ ସମସ୍ତଙ୍କ ଅଲକ୍ଷରେ ମୋ ଆଖିରୁ ଖାଲି ଲୁହ ବୋହୁଥିଲା। ତଥାପି ମୋ ପରିବାରର ଏପରି ଦୁର୍ଦ୍ଦିନ ସମୟରେ ମୋର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି। ଉଭୟ ମୋ ପୁଅ ଓ ତା’ ବାବା ଖୁବ୍ ଭଲ ପାଉଥିଲେ କ୍ଷୀରସାଗର ଖାଇବାକୁ। ତେଣୁ ପ୍ରଥମ ଦରମାରେ ଘରକୁ କ୍ଷୀରସାଗର କିଣିକି ଆଣିଥିଲି। ଠାକୁରଙ୍କୁ ଭୋଗ ଦେଇ ନିଜ ହାତରେ ତାଙ୍କୁ ଖୁଆଇ ଦେଇଥିଲି। କିଛି କହିପାରୁ ନ ଥିଲେ ବି ସେ ବହୁତ ଖୁସି ଜଣାପଡୁଥିଲେ। ତା’ପରଠୁ ମୋର ପ୍ରତ୍ୟେକ ମାସର ଦରମା ତାଙ୍କର ଚିକିତ୍ସାରେ, ପୁଅର ପାଠପଢ଼ା ତଥା ସମାଜ ସେବାରେ ହିଁ ଖର୍ଚ୍ଚ ହୋଇଯାଉଥିଲା। ଏସବୁ ପରେ ବି ଭଗବାନଙ୍କର ନିର୍ଦ୍ଦେଶ ଥିଲା କିଛି ଅଲଗା। ଗୋଟିଏ ବର୍ଷ ଭିତରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୋର ଏକମାତ୍ର ପୁଅ ଗିରିଜା ଶଙ୍କର ଓ ତାକୁ ଝୁରି ଝୁରି ଶଯ୍ୟାଶାୟୀ ତା’ ବାବା ଚଣ୍ଡୀପ୍ରସାଦ ଚାଲିଗଲେ ଆରପାରିକୁ। ଆଉ ଛାଡ଼ିଦେଇ ଗଲେ ମୋତେ ସାରା ଦୁନିଆର ଅସହାୟ ସନ୍ତାନମାନଙ୍କର ମାଆ କରି। ସେଥିପାଇଁ ନିଜକୁ ପୁଣି ଦୃଢ଼ କଲି। ଆଉ ସେମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ‘ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ’ ଓ ‘ମାଷ୍ଟର ଗିରିଜା ମେମୋରିଆଲ୍ ରୋଡ଼ସେଫ୍ଟି ଫାଉଣ୍ଡେଶନ୍ ଟ୍ରଷ୍ଟ’ ଗଢି ଗୋଟିଏ ସନ୍ତାନ ବଦଳରେ ଅନେକ ସନ୍ତାନଙ୍କ ମୁହଁରେ ହସ ଖେଳାଇବା ପାଇଁ ମୋର ଚେଷ୍ଟା ଜାରି ରଖିଛି ଏବଂ ମୋର ସମ୍ପୂର୍ଣ୍ଣ ରୋଜଗାର ସେମାନଙ୍କ ପାଇଁ ହିଁ ସମର୍ପିତ କରିଦେଉଛି। ମୋର ଜନ୍ମ ଆଉ ମୋର କର୍ମ ସବୁକିଛି ସମାଜ ପାଇଁ ଉଦ୍ଦିଷ୍ଟ, ବୋଧହୁଏ ଭଗବାନଙ୍କର ଏହା ହିଁ ନିର୍ଦ୍ଦେଶ।
-ଅମ୍ବ୍ରିତା