Advertisement

୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଜାଣନ୍ତୁ ଓଡ଼ିଶାରେ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର,୨୮ା୩: ଆସନ୍ତା ୨୯ ତାରିଖରେ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେବ। ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଏହା ଦୃଶ୍ୟମାନ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଭାରତ କିମ୍ବା ଓଡିଶାରେ ଦୃଶ୍ୟମାନ ହେବ ନାହିଁ। ଏହା ଭାରତୀୟ ସମୟ ଦିନ ୨ଟା ୨୦ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟରେ ସର୍ବାଧିକ ପରାଗ ୯୦% ହେବ। ସେହିପରି ଅପରାହ୍ନ ୪ ଟା ୧୪ ମିନିଟରେ ପରାଗ ଶେଷ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ଆଂଶିକ, ପୂର୍ଣ୍ଣ ଏବଂ ବଳୟ ସୂର୍ଯ୍ୟୋପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। ବେଳେବେଳେ ପୂର୍ଣ୍ଣ ଓ ବଳୟ ପରାଗ ମିଶ ଦେଖାଯାଏ।

ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ବୁଲୁଛନ୍ତି। ବେଳେବେଳେ ଏକ ସରଳ ରେଖାରେ ରହିଲେ ହିଁ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟୋପରାଗ ସମୟରେ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବ ହୋଇଥାଏ।

ଅନ୍ୟପକ୍ଷରେ ଆସନ୍ତା ସେପ୍ଟେମ୍ବର ୭-୮ ତାରିଖରେ ସମଗ୍ର ଭାରତ ସହ ଏସିଆ, ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେହିପରି ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟୋପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲାଣ୍ଡ, ଇଷ୍ଟର୍ନ ମେଲାନେସିଆଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ। ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share