ପର୍ଥ, ୧୬।୧୨: ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୭ ରନ ସ୍କୋର କରିଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ପାକିସ୍ତାନ ୨ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଛି। ଅବଦୁଲ ଶଫିକ ୪୨ ଓ ଅଧିନାୟକ ଶାନ ମାସୁଦ ୩୦ ରନକରି ଆଉଟ ହୋଇଥିବାବେଳେ ଇମାମ-ଉଲ-ହକ୍ ୩୮ ଓ ଖୁରାମ ଶାହାଜାଦ ୭ ରନରେ ଅପରାଜିତ ରହିଛନ୍ତି। ଫଳରେ ୭ ଉଇକେଟ ଥାଇ ପାକିସ୍ତାନ ଆହୁରି ୩୫୫ ରନ ପଛରେ ରହିଛି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୩୪୬/୫ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୪୮୭ ରନର ବୃହତ୍ ସ୍କୋର କରିଥିଲା। ମିଚେଲ ମାର୍ଶ ୯୦ ଓ ଆଲେକ୍ସ କାରେ ୩୪ ରନ କରିଥିବାବେଳେ ଅତିରିକ୍ତ ଭାବେ ପାକିସ୍ତାନ ବୋଲରମାନେ ୪୧ ରନ ବ୍ୟୟ କରିଥିଲେ। ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ୧୬୪ ରନର ଦର୍ଶନୀୟ ଇନିଂସ ଖେଳିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ଅମିର ଜମାଲ ୬ ଉଇକେଟ ସଫଳତା ପାଇଥିବାବେଳେ ଖୁରାମ ଶାହାଜାଦ ୨ଟି ଏବଂ ଶାହିନ ଶାହା ଆଫ୍ରିଦି ଓ ଫହିମ ଅଶ୍ରଫ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।