Advertisement

ନିର୍ମାଣ ପୂର୍ବରୁ ସରକାରୀ, ପରେ ବେସରକାରୀ

ନନ୍ଦପୁର,୩ା୩ (ଡି.ଏନ.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହ ଗତ ୧୧ ବର୍ଷ ହେଲା ବିବାଦରେ ରହି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ଫଳରେ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ପାଣିରେ ପଡ଼ିଛି। ୧୧ବର୍ଷ ତଳେ ସରକାରୀ ଜମି ଦର୍ଶାଇ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ଜମି ଚିହ୍ନଟ ହେବାପରେ ପାଡୁଆ ପଞ୍ଚାୟତ ଓ ନନ୍ଦପୁର ବ୍ଲକ ପ୍ରଶାସନ ଦ୍ବାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୧୩ ଲକ୍ଷ ୪୬ ହଜାର ୭୩୨ ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଥିଲା। ମାତ୍ର ନିର୍ମାଣ ସରିବା ମାତ୍ରେ ବେସରକାରୀ ଜମି ଦର୍ଶାଇ ଅଦାଲତରେ ମାମଲା ରୁଜୁ ହୋଇଛି। ଫଳରେ ଏଯାଏ ଏହି କେନ୍ଦ୍ର ପଞ୍ଚାୟତ କିମ୍ବା ଲୋକଙ୍କ କାମରେ ନ ଲାଗି ଭୂତକୋଠି ପାଲଟିଛି। ପଞ୍ଚାୟତ ଓ ବ୍ଲକ ପ୍ରଶାସନ ନୀରବଦ୍ରଷ୍ଟା ସାଜି ଅଦାଲତରେ ମାମଲା ଚାଲିଛି କହି ନୀରବ ରହୁଛନ୍ତି। ତହସିଲ ପ୍ରଶାସନ ମଧ୍ୟ ଚୁପ୍‌। ଏହା ସରକାରୀ ଜମି କହି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିବାକୁ ଜମିର ସ୍କେଚ୍‌ମ୍ୟାପ ଦେବା ଓ ପରବର୍ତ୍ତୀ ସମୟରେ ବେସରକାରୀ ଜମି କହି ବେସରକାରୀ ଲୋକଙ୍କ ପକ୍ଷ ନେବା ତତ୍କାଳୀନ ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି। ଜିଲା ପ୍ରଶାସନ ଓ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବିବାଦ ଦୂର କରିବାକୁ ପାଡୁଆ ସରପଞ୍ଚ, ସମିତିସଭ୍ୟ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ପାଡୁଆ ରାଜସ୍ବ ଅଧିକାରୀ ଅକ୍ଷୟ କ୍ଷତ୍ରିଙ୍କୁ ପଚାରିବାରୁ ସେ କହିଲେ, ସେ ଏହି କାର୍ଯ୍ୟାଳୟରେ ଦାୟିତ୍ୱ ନେବା ଦିନଠାରୁ ପଞ୍ଚାୟତ କିମ୍ବା ବ୍ଲକ ପକ୍ଷରୁ ଉକ୍ତ ସେବାକେନ୍ଦ୍ର ଜମି ସମ୍ପର୍କରେ କୌଣସି ଅଭିଯୋଗ ତାଙ୍କର ହସ୍ତଗତ ହୋଇନାହିଁ। ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share