ସୋର, ୧୪ା୫(ଡି.ଏନ.ଏ.): ପରମ୍ପରା ନାମରେ ଏବେବି ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ। ବିବାହ ବେଳେ ମଙ୍ଗଳଦୋଷ ଥିଲେ ପୁଅ କିମ୍ବା ଝିଅର ରିଷ୍ଟ ଖଣ୍ଡନ ଲାଗି ପ୍ରଥମେ ସାହାଡ଼ା ଗଛକୁ ବିବାହ କରାଯାଉଥିବା ପୂର୍ବରୁ ଆମେ ଶୁଣିଛେ। ହେଲେ ଶିଶୁଟିର ପ୍ରଥମେ ଉପର ଦାନ୍ତ ଉଠିଲେ କୁକୁର ସହ ବାହାଘର କରାଯିବା ପରମ୍ପରା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହ ସତ। ଏପରି କଲେ ପିଲାଟିର ରିଷ୍ଟ ଖଣ୍ଡନ ହେବା ସହ ଦେହ ସୁସ୍ଥ ରୁହେ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗ୍ରାମରେ।
ଶୁକ୍ରବାର ପୂର୍ବାହ୍ନରେ ଆଦିବାସୀ ପରମ୍ପରା ରୀତିନୀତି ଅନୁସାରେ ଏହି ଗ୍ରାମର ଦରି ସିଂଙ୍କ ପୁଅ ସହିତ ଏକ ମାଈ କୁକୁର ଏବଂ ବୁଟୁରୁ ସିଂଙ୍କ ଝିଅ ସହିତ ଏକ ଅଣ୍ଡିରା କୁକୁର ବିବାହ ଅନୁଷ୍ଠିତ ହୋଇଛି। ଏହି ସମ୍ପ୍ରଦାୟର ଗ୍ରାମବାସୀ ଏହାକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି। ଉକ୍ତ ସମ୍ପ୍ରଦାୟର ଲୋକଙ୍କ କହିବା ଅନୁଯାୟୀ, ପିଲାଟିର ଯଦି ପ୍ରଥମେ ଉପର ଦାନ୍ତ ଉଠେ ତେବେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ। ତା’ର ରିଷ୍ଟ ଖଣ୍ଡନ ପାଇଁ ପିଲାଟିକୁ କୁକୁର ସହିତ ବିବାହ କରାଇଦିଆଯାଏ। ରିଷ୍ଟ ଖଣ୍ଡନ ହୋଇଗଲେ କୁକୁର ରୋଗଗ୍ରସ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡିଥିବା ପିଲାଟି ସୁସ୍ଥ ହୋଇଯାଏ ବୋଲି ବିଶ୍ୱାସ ରହିଛି।