Categories: ଖେଳ

ଭାରତକୁ ପ୍ରଥମ ଟାଇଟଲ

କାକାମିଗହରା (ଜାପାନ), ୧୨ା୬(ପି.ଟି.): ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଏହାସହିତ ପ୍ରଥମଥର ପାଇଁ ଭାରତ ମହିଳା ଜୁନିୟର ଏସିଆ କପ୍‌ ହକି ଟାଇଟଲ ହାସଲ କରିଛି। ଶେଷଥର ପାଇଁ ଭାରତ ୨୦୧୨ ମସିହା ଫାଇନାଲରେ ପ୍ରବେଶ କରିଥିବା ବେଳେ ଚାଇନା ନିକଟରୁ ହାରି ରନର ଅପ୍‌ ହୋଇଥିଲା। ରବିବାର ଭାରତ ପକ୍ଷରୁ ଅନ୍ନୁ (୨୨ ମିନିଟ) ଓ ନୀଲମ୍‌(୪୧ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ଦକ୍ଷିଣ କୋରିଆ ପକ୍ଷରୁ ପାର୍କ ସେଓ ୟେଓନ୍‌ ଗୋଟିଏ ଗୋଲ ପରିଶୋଧ କରିଥିଲେ।
ରବିବାର ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଉଭୟ ଦଳ ସ୍କୋର କରିବାକୁ ପ୍ରୟାସ କରିଥିବା ବେଳେ ଭାରତକୁ ୨୨ତମ ମିନିଟରେ ପ୍ରଥମ ସଫଳତା ମିଳିଥିଲା। ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଅନ୍ନୁ। ଏହାର ୩ ମିନିଟ୍‌ ମଧ୍ୟରେ କୋରିଆ ପକ୍ଷରୁ ପାର୍କ ସେଓ ୟେଓନ୍‌ ଗୋଲ ଦେଇ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ମ୍ୟାଚ୍‌ ୧-୧ରେ ରହିଥିଲା। ପରବର୍ତ୍ତୀ କ୍ୱାର୍ଟରରେ ଭାରତ ପକ୍ଷରୁ ନୀଲମ ଆଉ ପେନାଲ୍ଟି କର୍ନରରୁ ଭାରତ ପାଇଁ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ୪୧ତମ ମିନିଟରେ ଏକ ଶକ୍ତିଶାଳୀ ଶଟ୍‌ ଜରିଆରେ ସେ ପ୍ରତିପକ୍ଷ ଗୋଲିଙ୍କୁ ପରାସ୍ତ କରିଥିଲେ। ଦକ୍ଷିଣ କୋରିଆ ନିକଟରେ ଗୋଲ ସ୍କୋର କରିବାର ଅନେକ ସୁଯୋଗ ଆସିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଖେଳାଳି ଏହାକୁ ପଣ୍ଡ କରିଦେଇଥିଲେ। ଭାରତୀୟ ଅଧିନାୟିକା ପ୍ରୀତିଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରଯାଇଥିଲା।
ହକି ଇଣ୍ଡିଆର ଆର୍ଥିକ ପୁରସ୍କାର: ମହିଳା ଜୁନିୟର ଏସିଆ କପ୍‌ ହକିରେ ଚାମ୍ପିୟନ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ଅର୍ଥ ପୁରସ୍କାର ଘୋଷଣା କରିଛି ହକି ଇଣ୍ଡିଆ। ସମସ୍ତ ଖେଳାଳିଙ୍କ ପାଇଁ ୨ ଲକ୍ଷ ଓ ସପୋର୍ଟ ଷ୍ଟାଫ୍‌ଙ୍କ ନିମନ୍ତେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଭାରତ ଏହି ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ବେଳେ ୨୦୨୩ରେ ଚିଲିରେ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିଛି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପୁରସ୍କାର ରାଶି ଘୋଷଣା କରିବା ସହିତ ଭାରତୀୟ ହକି ପାଇଁ ଏହା ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Share