Categories: ଖେଳ

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦।୬ (ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ଜନଜାତି ଖେଳ ମହୋତ୍ସବ ଶୁକ୍ରବାର କିଟ୍‌ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ କିଟ୍‌-କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡ଼ିଶା ସରକାର ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜନଜାତି ଖେଳ ମହୋତ୍ସବ ୧୨ ତାରିଖରେ ଉଦ୍‌ଯାପିତ ହେବ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ କ୍ରୀଡ଼ାରେ ବିଜୟ ଓ ପରାଜୟ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ପ୍ରତ୍ୟେକ ନିଜ ନିଜର ସଫଳତା ପ୍ରତି ଧ୍ୟାନ ଦେବା ଉଚିତ। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡ଼ା ଓ ଶିକ୍ଷାକୁ ସମାନ ଭାବେ ଗୁରୁତ୍ୱ ଦେଇ ଖେଲୋ ଇଣ୍ଡିଆ ଭଳି ଜନଜାତି ଖେଳ ମହୋତ୍ସବର ପରିକଳ୍ପନା କରିଛନ୍ତି। ଦେଶର ଅଧିକାଂଶ କ୍ରୀଡ଼ାବିତ୍‌ ଜନଜାତି ସମ୍ପ୍ରଦାୟରୁ ଆସିଛନ୍ତି। ଉମା ନନ୍ଦୁରୀ କହଥିଲେ, ଆଜାଦୀ କା ଅମୃତ ମହୋତ୍ସବ ଅଭିଯାନ ବିଶ୍ୱର ସର୍ବବୃହତ ଅଭିଯାନରେ ପରିଣତ ହୋଇଛି। ପ୍ରଥମ ସଂସ୍କରଣରେ ୧୦ଟି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବା ସହ ୨୦ ବିଭିନ୍ନ ବିଭାଗରେ ପ୍ରଦର୍ଶନୀ କ୍ରୀଡ଼ା ଆୟୋଜିତ ହେବ। ଏହାଛଡ଼ା ଜନଜାତି ଖେଳ ମହୋତ୍ସବ ଉପରେ ବିଭିନ୍ନ ଆଲୋଚନାଚକ୍ରମାନ ମଧ୍ୟ ଆୟୋଜିତ ହେବ ବୋଲି ସେ କହିଥିଲେ। ତିର୍କୀ କହିଥିଲେ, ପ୍ରଥମ ଥର ଲାଗି ଦେଶର ୨୬ଟି ରାଜ୍ୟର କୋଚ ଓ ଅଫିସିଆଲଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ୱ ଜନଜାତି ଖେଳାଳି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ଏହା ଓଡ଼ିଶା ପାଇଁ ଗୌରବର ବିଷୟ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଜନଜାତି ଖେଳ ମହୋତ୍ସବ ଏକ ଇତିହାସ ହୋଇ ରହିବ। ସ୍ବାଗତ ସମ୍ଭାଷଣ ଦେଇ ସେ କହିଥିଲେ, ଜନଜାତି ଖେଳ ମହୋତ୍ସବକୁ ଏକ ବିରାଟ ଆକାରରେ ଆୟୋଜନ କରାଯିବାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ ଦିଆଯାଇ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଛି। ଏହି ଅବସରରେ ଅତିଥିଙ୍କ ଦ୍ୱାରା ପ୍ରଥମ ଜନଜାତି ମହୋତ୍ସବ ଜର୍ସି, ମାସ୍କଟ ଓ ସୂଚନା ପତ୍ରିକା ଉନ୍ମୋଚିତ ହୋଇଥିଲା।

Share