Video: ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନକୁ ଛୁଇଁଲା ସୁନାମିର ପ୍ରଥମ ଜୁଆର, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧: ସୋମବାର କେନ୍ଦ୍ରୀୟ ଜାପାନରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମିର ପ୍ରଥମ ଜୁଆର ଉପକୂଳକୁ ଛୁଇଁଛି। ସୁନାମି ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗରଠାରୁ ଜାପାନ ଉପକୂଳରେ ୩୦୦ କିଲୋମିଟର (୧୯୦ ମାଇଲ) ମଧ୍ୟରେ ବିପଦପୂର୍ଣ୍ଣ ସୁନାମି ଆସିବାର ସମ୍ଭାବନା ରହିଛି। ତେବେ ଇଶିକାୱା ଜିଲାର ୱାଜିମା ସହରରେ ୧.୨ ମିଟର ଉଚ୍ଚତାର ସୁନାମି ଆସିଥିବା ନିଶ୍ଚିତ ହୋଇଛି।

ତେବେ ଏହି ଭୂମିକମ୍ପ ପ୍ରଭାବରେ ଇଶିକାୱା ସ୍ଥିତ ନୋଟୋ ଉପଦ୍ୱୀପ ନିକଟରେ ସମୁଦ୍ରଠାରୁ ୫ ମିଟର ପର୍ଯ୍ୟନ୍ତ ଜୁଆର ହେବାର ସମ୍ଭାବନା ରହିଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି। ଏହି ଭୂମିକମ୍ପର ଝଟକା ରାଜଧାନୀ ଟୋକିଓ, କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଜନିତ ଖବର ଆସିନାହିଁ।

ସୋମବାର ଜାପାନରେ ଅପରାହ୍ନ ୪ଟା ୧୦ ମିନିଟରେ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଅପରାହ୍ନ ୪:୧୮ ରେ ୬.୧ ତୀବ୍ରତାର ଭୂମିକମ୍ପ, ଅପରାହ୍ନ ୪:୨୩ ରେ ୪.୫ ତୀବ୍ରତାର ଭୂମିକମ୍ପ, ୪:୨୯ ରେ ୪.୬ ତୀବ୍ରତାର ଭୂମିକମ୍ପ ଏବଂ ୪:୩୨ ରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

Share