ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ନର୍ଥ ଇଷ୍ଟ ୟୁନାଇଟେଡ ପ୍ରଥମ ବିଜୟ ହାସଲ କରିଛି। ପିଚ୍-୧ରେ ସୋମବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚରେ ଏହି ଦଳ ଶିଲଂ ଲାଜଂ ଦଳକୁ ୨-୧ ଗୋଲରେ ପରାସ୍ତ କରିଛି। ନେଷ୍ଟର ଅଲବାକ୍ ରୋଗର ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ୧୭ତମ ମିନିଟରେ ଶିଲଂ ଲାଜଂର ଡଗ୍ଲାସ ରୋସା ଟାର୍ଡିନ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ୫୯ତମ ମିନିଟରେ ଗୋଲଟିକୁ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ ନର୍ଥ ଇଷ୍ଟର ନେଷ୍ଟର ଅଲ୍ବାକ୍ ରୋଗର। ୬୭ତମ ମିନିଟରେ ରୋଗର ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇ ନର୍ଥଇଷ୍ଟକୁ ଅଗ୍ରଣୀ କରିଥିଲେ।
ଜାମସେଦପୁର ବିଜୟୀ
ଅନ୍ୟଏକ ମ୍ୟାଚରେ ଜାମସେଦପୁର ୩-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। କେରଳ ପକ୍ଷରୁ ଡିମାନଟାକୋସ ଡିମିଟ୍ରସ ୨୯ ଓ ୬୨ ମିନିଟରେ ୨ଟି ଏବଂ ଜାମସେଦପୁର ପକ୍ଷରୁ ଡାନିଏଲ ଚିମା ଚୁକୁ ୩୩ ଓ ୫୭ ମିନିଟରେ ୨ଟି ଏବଂ ଜେରେମି ଫିଲିପେ ବେନାର୍ଡ ମନ୍ଜୋରୋ ୬୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ବିପଜ୍ଜନକ ଖେଳ ପାଇଁ ଚିମା ଚୁକୁ ୯୦+୪ ମିନିଟରେ ରେଡ୍ କାର୍ଡ ପାଇଥିଲେ।