ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ ଘଟଣା ଥିଲା। ଉକ୍ତ ମଲାମାଛ ଓ ପାଣିର ନମୁନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ କାର୍ଯ୍ୟାଳୟ ପକ୍ଷରୁ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରେ ଉକ୍ତ ରିପୋର୍ଟ ଆସିସାରିଛି। ବଟନଦୀ ସଙ୍କୁଚିତ ହେବା, ସେଥିରେ ଆବର୍ଜନା, ମଳ ତ୍ୟାଗ, ପଲଥିନ୍ ପ୍ଲାଷ୍ଟିକ ରହିବା ଓ ଦଳ ଥିବାରୁ ତାହା ଅତ୍ୟଧିକ ପ୍ରଦୂଷିତ ହୋଇଛି। ଯେଉଁଥିପାଇଁ ପାଣିର ଅମ୍ଳ ହ୍ରାସ ଯୋଗୁ ମାଛ ମରିଛନ୍ତି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା କହିଛନ୍ତି। ଏହାର ପ୍ରତିକାର ପାଇଁ ନଦୀକୁ ସଫେଇ କରିବା ସହ ଜଳପଥ ମୁକ୍ତ କରିବା ଦରକାର। ଅନ୍ୟଥା ଏପରି ମାଛ ମଡ଼କ କିଛିଦିନ ବ୍ୟବଧାନରେ ପୁଣି ହେବ।
ସୂଚନାଯୋଗ୍ୟ, ୧୯୬୦ ଦଶକରେ ପାରାଦୀପର ଚତୁଃପାଶର୍ବରେ ୧୮ଟି ନଦୀ ସୈରାତ, ଯୋର, ଜଳଧାର ଆଦି ଥିଲା। ପାରାଦୀପ ବନ୍ଦର ହେବା ପରେ ତାକୁ ଆୟୁଧ କରି ୧୫ଟି ବୃହତ୍ ଶିଳ୍ପ ଏହା ମଧ୍ୟରେ ହୋଇସାରିଛି। ବର୍ଦ୍ଧିତ ଶିଳ୍ପ ଓ ସହରାଞ୍ଚଳ ହେବା ଯୋଗୁ ଅନେକ ନଦୀପଥ ସଙ୍କୁଚିତ ହୋଇଗଲାଣି। ଏପରି କି କେତେଗୋଟି ନଦୀର ଅବସ୍ଥିତ ଆଦୌ ନାହିଁ କହିଲେ ଚଳେ। ଉଦାହରଣ ସ୍ବରୂପ, ବଟନଦୀ, ଶାମୁକାତି ମୁଣ୍ଡା, କପିଳଜୋର, ହଳଦୀପାଣି, କାଉଡ଼ିଆ, ମଝିଡିଆ, ସାହାରାପେଣ୍ଠ ମତ୍ସ୍ୟଡିଆ, ଭଳି ନଦୀ ଏବେ ଆଉ ଦେଖିବାକୁ ମିଳୁନାହିଁ। ଏବେ ନାମକୁମାତ୍ର କଂସାରୀପାଟିଆ ନଦୀ, ଷଣ୍ଢକୁଦ ନଦୀ କିଛି ସ୍ଥାନରେ ଦୃଶ୍ୟମାନ ହେଉଛି। ଆଉ କେତେକ ଜାଗାରେ ନଦୀଗୁଡ଼ିକ ଅସ୍ଥିତ୍ୱ ହରାଇ ଜଳାଶୟ ଭଳି ହୋଇ ଗଲାଣି। ଯେଉଁ ବଟନଦୀରେ ମାଛ ମରିଥିଲେ ତା’ର ଚତୁଃପାଶର୍ବରେ ବିଜୟଚନ୍ଦ୍ରପୁର କଲୋନୀ ୧୫ ବର୍ଷ ମଧ୍ୟରେ ହୋଇଛି। ସେଠାରେ ୨ ହଜାରରୁ ଅଧିକ ବହୁତଳ କୋଠାଘର ହୋଇଛି। ସମ୍ପୃକ୍ତ କଲୋନୀର ବର୍ଯ୍ୟପାଣି ଏହି ବଟନଦୀରେ ମିଶୁଛି।
ବାଲିଝରା ବସ୍ତିର କେତେଜଣ ଲୋକ ନଦୀ ପାଣିରେ ବାଉଁଶ ଭାଡ଼ି କରି ସେଥିରେ ଶୌଚାଳୟ କରିଛନ୍ତି। ଅପରପାର୍ଶ୍ୱରେ ରହିଛି ଶୁଖୁଆଖଳା ବସ୍ତି। ଶୁଖୁଆ ପ୍ରସ୍ତୁତ କଲାବେଳେ ସେଥିରୁ ଉଦ୍ବୃତ୍ତ ପାଣି ମଧ୍ୟ ସେଥିରେ ମିଶୁଛି। ସବୁଠାରୁ କୌତୁହଳ ହେଲା ଶୁଖୁଆରେ ମିଶୁଥିବା ଫର୍ମାଲିନ୍ ନାମକ କେମିକାଲ ପାଣିରେ ମିଶୁଛି। ଆଉ କେତେଜଣ ଲୋକ ନଦୀକୁ ପୋତି ସେଥିରେ ଘର ନିର୍ମାଣ କରୁଛନ୍ତି। ଏହା ଦ୍ୱାରା ନଦୀ ଏବେ ଘେରି ଭଳି ଦେଖାଯାଉଛି। ଏକଦା ଏହି ନଦୀର ସୀମା ପାରାଦୀପଗଡ଼ଠାରୁ ଆରମ୍ଭ କରି ଉଦୟବଟ ଦେଇ ଅଠରବାଙ୍କିଠାରେ କଂସାରୀପାଟିଆ ନଦୀରେ ମିଶିଥିଲା। ଯାହାର ଲମ୍ବ ପ୍ରାୟ ୨୫ କି.ମି.ରୁ ଅଧିକ ବୋଲି ମତ୍ସ୍ୟଜୀବୀ ଆଲୋକ ରାଉତ କୁହନ୍ତି, ଏବେ ଯେଉଁଭଳି ଜବରଦଖଲ ହେଉଛି ଆଉ କିଛିବର୍ଷ ମଧ୍ୟରେ ବଟନଦୀ ସମ୍ପୂର୍ଣ୍ଣ ଅଦୃଶ୍ୟ ଯେ ନ ହେବ ସେ କଥା ଏଡ଼ାଇ ଦିଆଯାଇ ନ ପାରେ।