କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ ପଦାର୍ଥରେ ଆମିଷର ସ୍ବାଦ କିପରି ଆସୁଛି, ତାହାର ରୋଷେଇ କଳାକୁ କିଛି ବ୍ୟକ୍ତି ଆଗ୍ରହର ସହିତ ଶିଖିଛନ୍ତି। ଏପରି ଅଭିନବ ପ୍ରୟାସ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ନିକଟସ୍ଥ ଏକ ହୋଟେଲ ପରିସରରେ ହୋଇଛି। ଜୀବ ହତ୍ୟା ବିରୋଧରେ ସ୍ଲୋଗାନ ରଖି ଛାଡ଼ଖାଇ ପାଳନ ପାଇଁ ପ୍ରୋତ୍ସାହିତ କରାଯାଇଥିବା ଟ୍ରଷ୍ଟ ସଭାପତି ଦମନ କୁମାର ମହାନ୍ତି କହିଛନ୍ତି। ଛାଡ଼ଖାଇ ନାମରେ ଆମିଷ ଭକ୍ଷଣ ପରିବର୍ତ୍ତେ ନିରାମିଷ ସାମଗ୍ରୀ ଭକ୍ଷଣ କରିବାକୁ ଟ୍ରଷ୍ଟ ପକ୍ଷରୁ ଏପରି ଉଦ୍ୟମ ହୋଇଥିବା ସଭାପତି ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ରୋଷେଇର ପ୍ରସ୍ତୁତକର୍ତ୍ତା ଉପସଭାପତି ରଶ୍ମିରଞ୍ଜନ ବାରିକ କହିଛନ୍ତି, ବନ୍ତଳ କଦଳୀକୁ ମାଛ ଆକୃତି କରି ବେସନ ଦ୍ୱାରା ଭଜା ଯାଇଥିଲା। ସେହିପରି ଅଣ୍ଡା ପାଇଁ ପନିର, ହଳଦୀଗୁଣ୍ଡ, ଆଳୁ ଆଦି ସାମଗ୍ରୀକୁ ନିଆଯାଇଥିଲା। ଏଥିସହ ସୋୟା ବଡ଼ିରେ ଚିକେନ ଓ ମଟନ ପ୍ରସ୍ତୁତ ହୋଇଥିଲା। ଏ ନେଇ ସ୍ବତନ୍ତ୍ର ଧରଣର ରୋଷେଇ ହୋଇଥିବା ବେଳେ ଏହାକୁ ୫୦ରୁ ଊର୍ଦ୍ଧ୍ୱ ଲୋକ ଶିଖିଥିଲେ।

Share