ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସ ମାଛଙ୍କୁ ହସ୍ପିଟାଲ ନେଉଥିବା କହିଲେ କଣ ଆପଣ ବିଶ୍ୱାସ କରିବେ। ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଉରଇ ଜିଲା ରାମପୁରାରେ। ଏହି ରାସ୍ତା ଦେଇ ଆମ୍ବୁଲାନ୍ସଟି ବାରବାର ଯାଉଥିବା ଦେଖି ଏହି ଇଲାକାରେ ଥିବା ପୋଲିସକର୍ମୀମାନେ ଆମ୍ବୁଲାନ୍ସକୁ ଅଟକାଇଥିଲେ। ପରେ ଗାଡିକୁ ଯାଞ୍ଚ କରିବା ସମୟରେ ସେମାନେ ଭିତରର ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ। ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଷ୍ଟ୍ରେଚରରେ ରୋଗୀ ବଦଳରେ ତିନି ବ୍ୟାଗ ମାଛ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ଶୁଣି କେବଳ ୟୁପି ସ୍ବାସ୍ଥ୍ୟ ବିଭାଗ ନୁହେଁ ସାରା ରାଜ୍ୟ ସ୍ତବ୍ଧ ହୋଇ ଯାଇଛି।

 

ପୋଲି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରବା ସହ ଗାଡିକୁ ଜବତ କରିଛି। ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରିଛି। ଲୁଚାଛପାରେ ଏବଂ ବେଆଇନ ଭାବରେ ୧୦୨ ଆମ୍ବୁଲାନ୍ସରେ ମାଛ ଚାଲାଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଚୋରି ମାଛ ନା କେଉଁଠୁ ବରାଦ କରାଯାଇଛି ସେ ସମ୍ପର୍କରେ ଡ୍ରାଇଭରଙ୍କୁ ପୋଲିସ ପଚରାଉଚରା କରୁଛି।

Share