ବିକ୍ରି ହେଉଛି ବିଷାକ୍ତ କେମିକାଲ ଯୁକ୍ତ ମାଛ

ଯାଜପୁରରୋଡ୍‌,୧୬ା୫(ଡି.ଏନ.ଏ.): ବ୍ୟାସନଗର ସହରରେ ଦିନକୁଦିନ ମାଛ ବ୍ୟବସାୟୀଙ୍କ ଠକାମି ବଢ଼ିବାରେ ଲାଗିଛି। ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛଗୁଡ଼ିକର ଅବସ୍ଥା ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି। ତେଣୁ ବ୍ୟବସାୟୀମାନେ ଅଧିକ ଦିନ ପର୍ଯ୍ୟନ୍ତ ମାଛଗୁଡ଼ିକୁ ସତେଜ ରଖିବା ପାଇଁ ବିଷାକ୍ତ କେମିକାଲ (ଫର୍ମାଲିନ)ର ବ୍ୟବହାର କରୁଥିବା ଜଣାପଡିଛି। ମାଛରେ ବ୍ୟବହୃତ ଏହି ବିଷାକ୍ତ କେମିକାଲ ମୃତ ବ୍ୟକ୍ତିଙ୍କ ଶବ ସଂରକ୍ଷିତ ପାଇଁ ବ୍ୟବହାର କରାଯାଇଥାଏ। କେତେଜଣ ଅସାଧୁ ବ୍ୟବସାୟୀ ସହରର ଧବଳଗିରି, ନାହକା ବାଇପାସ, ଚୋରଦା ଗ୍ରୀନ ମାର୍କେଟ ଓ ନ୍ୟୁ ମାର୍କେଟରେ କେମିକାଲ ମିଶା ମାଛ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଆଉ କେତେଜଣ ବ୍ୟବସାୟୀ ବରଫ ଦିଆମାଛକୁ ପାଣି ହାଣ୍ଡିରେ ରଖି ଦେଶୀ ମାଛ କହି ଲୋକଙ୍କୁ ଠକୁଛନ୍ତି। ପଚା ମାଛକୁ ମଧ୍ୟ ସତେଜ ମାଛ କହି ବିକୁଛନ୍ତି। ଫଳରେ ଠକାମିର ଶିକାର ହେଉଛନ୍ତି ସାଧାରଣ ଜନତା। ଏଭଳି ବ୍ୟବସାୟୀଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଧବଳଗିରି ଛକରେ ବସୁଥିବା ୬ ରୁ ୭ ବ୍ୟବସାୟୀଙ୍କ ମଧ୍ୟରୁ କେତେଜଣ ଏଭଳି କାରନାମା କରୁଛନ୍ତି। ରାସ୍ତାର ଗୋଟିଏ ପାର୍ଶ୍ୱରେ ମା’କାଳୀଙ୍କ ମନ୍ଦିର ଆଉ ଗୋଟିଏ ପାଖରେ ମା’ତାରିଣୀଙ୍କ ପୀଠ। ଏହି ମନ୍ଦିର ପାଖାପାଖି ମାଛ ବଜାରକୁ ଆଖ ପାଖ ଲୋକଙ୍କ ସହ ଅନେକ ଭକ୍ତ ବିରୋଧ କରୁଛନ୍ତି। ପାଖ ଦୋକାନୀ ମଧ୍ୟ ମାଛ ବଜାରକୁ ଅନ୍ୟତ୍ର ଉଠାଇବାକୁ ଦାବି କରୁଛନ୍ତି। ହେଲେ ପୌର କର୍ତ୍ତୃପକ୍ଷ ନାମକୁ ମାତ୍ର ମାହାସୁଲ ଆଦାୟ କରି ଚୁପ ରହୁଛନ୍ତି। ପୌରପରିଷଦ ପକ୍ଷରୁ ମାଛ ବ୍ୟବସାୟୀଙ୍କ ଉପରେ କୌଣସି ଲଗାମ ନାହିଁ। ଆମିଷ ଦ୍ରବ୍ୟଗୁଡ଼ିକ ପାଇଁ ପୌର ପରିଷଦ ପକ୍ଷରୁ କୌଣସି ଦର ନିର୍ଦ୍ଧାରଣ ବା ତାଲିକା ନ ଥିବାରୁ ବ୍ୟବସାୟୀ ଆବଶ୍ୟକତାଠାରୁ ଅଧିକ ଦରରେ ମାଛ ବିକ୍ରି କରୁଛନ୍ତି। ତେଣୁ ଏସବୁ ପ୍ରତି ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୌର କର୍ତ୍ତୃପକ୍ଷ ଅନୁଧ୍ୟାନ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।