କେନ୍ଦ୍ରାପଡ଼ା, ୨୧ା୮(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। କୃଷିଭିତ୍ତିକ ଏହି ଜିଲାରେ ଅର୍ଥକରୀ ଫସଲ ପ୍ରତି ପ୍ରୋତ୍ସାହନ ନାହିଁ। ଖରିଫ ଧାନଚାଷ ସମୟରେ ଜଳସେଚନ ସହିତ ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି। ଧାନ ଚାଷରୁ ଆଶାନୂରୂପକ ଲାଭ ମିଳୁ ନ ଥିବାରୁ ଅଧିକାଂଶ ଚାଷୀ ଏବେ ଜିଲା ବାହାରେ କର୍ମନିଯୁକ୍ତି ଅନ୍ବେଷଣରେ ଅଛନ୍ତି। ଜଳ ନିଷ୍କାସନ ସମସ୍ୟାରେ ଥିବା ୫୦ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ପୋଖରୀ ନିର୍ମାଣ ପାଇଁ ଜିଲା ଜନ ସୁରକ୍ଷା ମଞ୍ଚ ଆବାହକ ଗଣେଶ ଚନ୍ଦ୍ର ସାମଲ ଜିଲାପାଳଙ୍କୁ ଶନିବାର ଚିଠି କରିଛନ୍ତି। ଏହାଦ୍ୱାରା ମାଛ, କୁକୁଡ଼ା ସହ ଉଦ୍ୟାନ କୃଷି ଜିଲାବାସୀଙ୍କୁ ସ୍ବାବଲମ୍ବୀ କରିବ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି।
ଏ ସମ୍ପର୍କରେ ମଞ୍ଚ ଆବାହକ ସାମଲ କହିଛନ୍ତି, କୃଷି କ୍ଷେତ୍ରରେ ମୌଳିକ ସମସ୍ୟାର ନିରାକରଣ ପାଇଁ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଛି। ଏହି ଜିଲାର ପ୍ରମୁଖ ଫସଲ ଭାବେ ଧାନଚାଷ ହେଉଛି। ଏହି ଫସଲ ପାଇଁ ଜଳ ପରିଚାଳନା ବଡ଼ ସମସ୍ୟା ହୋଇଛି। ଆଳି, ରାଜନଗର, ରାଜକନିକା ଅଞ୍ଚଳରେ ଜଳସେଚନ ପାଇଁ କେନାଲ ନ ଥିବା ବେଳେ ଜଳ ନିଷ୍କାସନ ପାଇଁ ଜିଲାର ୯ ବ୍ଲକ ଅଞ୍ଚଳରେ ଚାଷୀ ହତାଶ ହେଉଛନ୍ତି। ଗହୀରପାଟ ଅଞ୍ଚଳରେ ପୋଖରୀ ନିର୍ମାଣ ହେଲେ ସଘନ ଚାଷ ଜିଲାର ଆର୍ଥିକ ବିକାଶ କରିପାରିବ। ପୋଖରୀରେ ମାଛ ସହିତ ଏହା ଉପରେ ଥିବା ଶେଡ୍ରେ କୁକୁଡା ଓ ପାର୍ଶ୍ୱ ଅଞ୍ଚଳରେ ଉଦ୍ୟାନ କୃଷିରୁ ଆୟ ହେବ। କୃଷକ ନେତା ଗୟାଧର ଧଳ କହିଛନ୍ତି, କର୍ମନିଯୁକ୍ତି ଅଭାବରୁ ଯୁବବର୍ଗ ପଥଭ୍ରଷ୍ଟ ହେଉଛନ୍ତି। ସେମାନଙ୍କୁ କର୍ମନିଯୁକ୍ତି ପାଇଁ ମଞ୍ଚର ଦାବିରେ ଯଥାର୍ଥତା ଅଛି। ଜଳ ନିଷ୍କାସନ ସମସ୍ୟାରେ ଥିବା କ୍ଷେତରେ ଆଶାନୁରୂପକ ଫସଲ ଉପତ୍ାଦନ ହେଉନାହିଁ। ଚାଷୀ ଋଣ ବୋଝରେ ବୁଡୁଛି। ଜିଲାର ବୋଇତାଳ ପାଟ, ଆଳି ଭେଡାଞ୍ଚଳ, ପୂଆହାଟ ପାଟ, ଗହଗା ପାଟ, ବୌଦ୍ଧ ପାଟ, ବିଶିବିଲି ପାଟ ଆଦି ଅଧିକାଂଶ କ୍ଷେତ ଅଞ୍ଚଳ ଜଳ ନିଷ୍କାସନ ସମସ୍ୟାରେ ଅଛି। ଏହାବ୍ୟତୀତ ବିଭିନ୍ନ ସରକାରୀ ଜମି ଏବେ ପଡ଼ିଆ ପଡ଼ି ଆର୍ଥିକ ବିକାଶକୁ ରୋକିଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜମିରେ ବେଣାକନ୍ଦା ବଢ଼ିବା ଅପେକ୍ଷା ପୋଖରୀ ନିର୍ମାଣ କରାଯାଇ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ରାଜନେତା ଓ ପ୍ରଶାସକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜିଲାର ଲୋକେ ମାଛ, କୁକୁଡା ଓ ପନିପରିବା ପାଇଁ ବାହାର ଜିଲା ଓ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ମାଛ, ଅଣ୍ଡା, କୁକୁଡା ଆଦି ଆନ୍ଧ୍ରପ୍ରଦେଶରୁ ଆସୁଥିବା ବେଳେ ପନିପରିବା ବାହାର ଜିଲାରୁ ଆସୁଛି। ଏହି ନିଅଣ୍ଟ ଭରଣା ପାଇଁ ମୋ ପୋଖରୀ ଯୋଜନାକୁ ତ୍ୱରାନ୍ବିତ କରିବାକୁ ପଡ଼ିବ। ଜିଲାରେ ମାଛ ଚାଷ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି। ଏହାକୁ ଉପଯୋଗ କଲେ ଯୁବବର୍ଗ ଦାଦନ ଓ ଆପରାଧିକ ଜୀବନଠାରୁ ଦୂରରେ ରହିପାରିବେ। କୃଷିକୁ ଅଗ୍ରାଧିକାର ଦିଆଯାଉଥିବା ପ୍ରଶାସନିକ ଅଧିକାରୀ ସର୍ବଦା କହୁଥିଲେ ମଧ୍ୟ ବାସ୍ତବରେ ତୃଣମୂଳ ସ୍ତରରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଜିଲା ମତ୍ସ୍ୟ ଚାଷୀ ସଂଘର କର୍ମକର୍ତ୍ତା ନିରଞ୍ଜନ ପରିଡା କହିଛନ୍ତି, ଜିଲାରେ ମତ୍ସ୍ୟଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ନଦୀ, ନାଳ, ଯୋର ଆଦି ଜଳ ଉତ୍ସ ଏବେ ଜବରଦଖଲକାରୀଙ୍କ ହାତକୁ ଗଲାଣି। ମସୁରି ଜାଲର ବ୍ୟବହାର, ବିଷ ପ୍ରୟୋଗ ମାଛ ସଂଖ୍ୟା ବୃଦ୍ଧିକୁ ରୋକୁଛି। ସାମୁଦ୍ରିକ କଟକଣା ଯୋଗୁ ମତ୍ସ୍ୟଜୀବୀ ୭ ମାସ ଧରି ଜୀବିକା ଶୂନ୍ୟ ହେଉଛନ୍ତି। ଏହାବ୍ୟତୀତ ଆର୍ଦ୍ରଭୂମିରେ ବଡ଼ବଡ଼ିଆଙ୍କୁ ଚିଙ୍ଗୁଡ଼ି ଚାଷ ପାଇଁ ଅନୁମତି ଯୋଗୁ ମତ୍ସ୍ୟଜୀବୀ ଆୟଶୂନ୍ୟ ହୋଇଛନ୍ତି। ପୋଖରୀ ନିର୍ମାଣ ପ୍ରୋତ୍ସାହନ ମତ୍ସ୍ୟଜୀବୀ ସହ ଏସ୍ଏଚ୍ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବ। ଏ ସମ୍ପର୍କରେ ଏଡିଏମ୍ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜିଲାର ଆର୍ଥିକ ଉନ୍ନତି ପାଇଁ ମୋ ପୋଖରୀ ପରି ସରକାରୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ଆବଶ୍ୟକ। ଏଥିପାଇଁ ଯୁବବର୍ଗ ଆଗ୍ରହୀ ଥିଲେ ସରକାରୀ ପ୍ରୋତ୍ସାହନ ମିଳିପାରିବ ବୋଲି ସେ କହିଛନ୍ତି।