ରାଉରକେଲା,୧୦।୩(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହର ଦେଇ ପ୍ରବାହିତ ବ୍ରାହ୍ମଣୀ, କୋଏଲ ଏବଂ ଶଙ୍ଖ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହି ୩ ନଦୀ କ୍ରମେ ପ୍ରଦୂଷିତ ହେବାରେ ଲାଗିଛି। ଏହା ନଦୀରେ ମାଛବଂଶ ବୃଦ୍ଧିରେ ବାଧକ ସାଜିବା ସହ ଏହାର ସିଧାସଳଖ ପ୍ରଭାବ ତଟବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡୁଛି।
ସୂଚନା ଅନୁସାରେ, ଏହି ପ୍ରମୁଖ ୩ ନଦୀରୁ ପ୍ରତ୍ୟେହ ମାଛ ମାରି ସହର ତଥା ତଟବର୍ତ୍ତୀ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରନ୍ତି। ମାତ୍ର ବାରମ୍ବାର ପ୍ରଶାସନର ବାରଣ ଏବଂ ତାଗିଦ ସତ୍ୱେ ତିନି ପ୍ରମୁଖ ନଦୀ ଗର୍ଭକୁ ରାସାୟନିକ ଏବଂ ବିଶାକ୍ତ ଦ୍ରବ୍ୟଯୁକ୍ତ ଉପାଦାନ ଛଡାଯାଉଛି। ଯାହାର ପ୍ରଭାବ ସିଧାସଳଖ ନଦୀ, ନଦୀରେ ଥିବା ଜଳଜୀବ ଓ ମତ୍ସ୍ୟଜୀବୀଙ୍କ ଉପରେ ପଡୁଥିବା ଅଭିଯୋଗ ହେଉଛି। ଉକ୍ତ ନଦୀରୁ ପୂର୍ବରୁ ପ୍ରବଳ ମାତ୍ରାରେ ବଳିଆ, କଣା, ବାମୀ ବା ବଏଁରା, ରୋହୀ, ଶେଉଳ ମାଛ ଏବଂ ବଡ ଚିଙ୍ଗୁଡି ମିଲୁଥିଲେ। ମାତ୍ର ବର୍ତ୍ତମାନ ଜଳଜୀବ ବଂଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଗଲେଣି। ଫଳରେ ନଦୀରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତି ଠପ୍ ହୋଇଯାଇଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ସେମାନେ ନଦୀରୁ ପ୍ରବଳ ମାଛ ମାରି ଭଲ ରୋଜଗାର କରୁଥିଲେ। ମାତ୍ର ଗତ କିଛିବର୍ଷ ହେଲା ସକାଳୁ ସନ୍ଧ୍ୟା ଯାଏଁ ପରିଶ୍ରମ କଲେ ମଧ୍ୟ ଆଉ ମାଛ ଜାଲରେ ପଡୁ ନ ଥିବା କୁହାଯାଉଛି। ରାଉରକେଲା ଆମିଷ ବଜାରରେ ଦେଶୀ ମାଛ ମିଳୁନାହିଁ। ନଦୀ ପ୍ରଦୂଷଣ ନେଇ ପ୍ରଦୂଷଣ ବିଭାଗ, ମତ୍ସ୍ୟ ବିଭାଗ ଓ ଆରଏମସି ଅବଗତ ଥିଲେ ସୁଦ୍ଧା ନଦୀ ଗୁଡିକୁ ଅପମିଶ୍ରଣ ମୁକ୍ତ କରାଯାଇପାରୁନାହିଁ। ସେହିପରି ଦିନସାରା ପରିଶ୍ରମ କଲେ ଗୋଟିଏ କେଜି ମାଛ ମିଳୁନି। ବାଳିଆ, କଣା, ବାମୀ, ଶେଉଳ, ରୋହି, ଭାକୁର ଓ ବଡ ଚିଙ୍ଗୁଡି ଆଦି ନଦୀରୁ ବିଲୁପ୍ତ ହୋଇଗଲେଣି। ଏହାର ନଦୀଜଳ ପ୍ରଦୂଷଣ ଏହାର ମୁଖ୍ୟ କାରଣ ବୋଲି ନଦୀକୂଳିଆ ମତ୍ସ୍ୟଜୀବୀ ଅର୍ଜନ ନାଏକ, ଅଜୟ ନାଏକ ଏବଂ ବିପିନ ଟପ୍ପୋ ପ୍ରମୁଖ ମତ ଦେଇଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୈବର୍ତ୍ତ ସମାଜ ପକ୍ଷରୁ ଦାବି ହେଉଛି।
ଏ ନେଇ ରାଉରକେଲା କମିଶନର ଆଶୁତୋଷ କୁଲକର୍ଣ୍ଣୀଙ୍କୁ ପଚାରିବାରୁ ସେ କହିଥିଲେ, ନଦୀଗୁଡିକରୁ ମାଛବଂଶ ଲୋପ ପାଉଥିବା ଅଭିଯୋଗ କେତେଦୂର ଯୁକ୍ତିଯୁକ୍ତ ତାର ସମୀକ୍ଷା କରାଯିବ। ମାତ୍ର ମୋ ଜାଣିବାରେ ନଦୀଗୁଡିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ନଦୀ ପ୍ରଦୂଷଣ ରୋକିବା ସକାଶେ ବାଲୁଘାଟରେ ସୁଦୀର୍ଘ ପୋଖରୀ ନିର୍ମାଣ ହୋଇସାରିଛି। ଏହାସତ୍ତ୍ୱେ ଯଦି ନଦୀରେ ରାସାୟନିକ ଉପାଦାନ ମିଶ୍ରଣ ହେଉଛି ତାହା ଉପରେ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି କୁଲକର୍ଣ୍ଣୀ କହିଥିଲେ। ଏ ସମ୍ପର୍କରେ ରାଉରକେଲା ସହର କୈବର୍ତ୍ତ ସମାଜ ସଭାପତି ନଟବର ବେହେରା କୁହନ୍ତି, ସହରରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୯ହଜାରରୁ ଊର୍ଦ୍ଧ୍ୱ ହେବ। ୪ଶହରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ବାହାରୁ ମାଛ କିଣି ସହରରେ ବିକ୍ରି କରୁଛନ୍ତି। ପୂର୍ବଭଳି ସହରରେ ନଦୀମାଛ ମିଲୁନାହିଁ। ନଦୀଗୁଡିକରେ ଅପମିଶ୍ରିତ ଉପାଦାନ ବୃଦ୍ଧି ଯୋଗୁ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେଉଛି। ଆଗକୁ କୈବର୍ତ୍ତ ସମାଜ ଏହା ବିରୋଧରେ ସ୍ବର ଶାଣିତ କରିବ ବୋଲି କହିଥିଲେ।