ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା ଓ କାଳବୈଶାଖୀ ବର୍ଷା କାରଣରୁ ପାଣିର ଅମ୍ଳଜାନ ହ୍ରାସ ଯୋଗୁ ଏପରି ହୋଇ ଥାଇପାରେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି। ତଥାପି ପାଣି ଓ ମଲାମାଛର ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା କହିଛନ୍ତି। ଗତବର୍ଷ ସେହି ଜଳାଶୟ ସଂଲଗ୍ନ ବଟନଦୀରେ ଏହିପରି ମାଛ ମରି ଭାସିଥିଲେ। ୧୭୫ ଏକର ବିଶିଷ୍ଟ ଜଳାଶୟରେ ଏବେ ଅଳ୍ପ ପାଣି ଅଛି। ସେଥିରେ ଚିଙ୍ଗୁଡିଆ ଦଳ ଓ ଅନ୍ୟ ବଣୁଆ ଦଳ ଭର୍ତ୍ତି ହୋଇଯାଇଛି। ସେହି ପାଣିକୁ ପାରାଦୀପର ସମସ୍ତ ଲୋକଙ୍କ ପାନୀୟ ପାଇଁ ଯୋଗାଣ କରାଯାଉଛି।