ଫେବୃଆରୀ ୧୬ରୁ ଓଡ଼ିଶା ମତ୍ସ୍ୟ, ପ୍ରାଣୀସମ୍ପଦ ସମାବେଶ

ଭୁବନେଶ୍ୱର,୨୫।୧(ଅନିଲ ଦାସ): ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ୩ ଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଆୟୋଜନ ହେବ। ସମାବେଶରେ ରାଜ୍ୟରୁ ପ୍ରାୟ ୬ ହଜାର ଚାଷୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗନେବେ। ପ୍ରତିଦିନ ଜିଲାରୁ ପ୍ରାୟ ୨ ହଜାର ଚାଷୀ ଏଥିରେ ଯୋଗଦେବେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯିବ। ଜିଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ଏହି ସମାବେଶର ଆୟୋଜନ କରାଯାଉଛି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ବୁଧବାର କୃଷି ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମାବେଶରେ ବିଭିନ୍ନ ପ୍ରାଣୀପାଳନ ଓ ମତ୍ସ୍ୟଚାଷର ପ୍ରଦର୍ଶନୀ ମଣ୍ଡପ ଖୋଲାଯିବା ସହିତ ଉନ୍ନତ କିସମର ପ୍ରାଣୀସମ୍ପଦ ଓ ମତ୍ସ୍ୟଚାଷର ଲାଇଭ୍‌ ଡେମୋନ୍‌ଷ୍ଟ୍ରେଶନ୍‌, ବିଭିନ୍ନ ଯନ୍ତ୍ରପାତି ଓ ଉପକରଣର ପ୍ରଦର୍ଶନୀ, ଚାଷୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନାଚକ୍ର, ସଫଳ ଚାଷୀଙ୍କ ଅନୁଭୂତିର ଆଦାନ ପ୍ରଦାନ-ସଫଳ ପ୍ରାଣୀପାଳନ, ମତ୍ସ୍ୟଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା ସମେତ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ସମାବେଶରେ ମିଶନ ଶକ୍ତି, ସମବାୟ, ନାବାର୍ଡ, ଜଳସମ୍ପଦ ବିଭାଗ, ଓର୍‌ମାସ୍‌, ଓଡ଼ିଶା ଜୀବିକା ମିଶନ, ପ୍ରାଣୀମଙ୍ଗଳ ଅନୁଷ୍ଠାନ, ମୃତ୍ତିକା ସଂରକ୍ଷଣ, କୃଷି ଓ ଉଦ୍ୟାନ କୃଷି ଆଦି ବିଭାଗର ମଧ୍ୟ ଷ୍ଟଲ ପ୍ରଦର୍ଶିତ ହେବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ୍‌, ସୋଆ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ପକ୍ଷରୁ ମଧ୍ୟ ଷ୍ଟଲ୍‌ ଖୋଲାହେବ। ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶର ଆୟୋଜନ ଦ୍ୱାରା ରାଜ୍ୟର ଚାଷୀମାନେ ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ସଚେତନ ହେବେ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି। ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Share