ବାସୁଦେବପୁର, ୭।୧ (ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ନୂଆଗାଁ ପଞ୍ଚାୟତ ଉହାଡ଼ ଗ୍ରାମର ମତ୍ସ୍ୟଜୀବୀ ରବୀନ୍ଦ୍ର କୁମାର ମଳିକ(୬୦) ମାଛ ଧରିବାକୁ ଯାଇଥିବା ବେଳେ ବୋଟ୍ରୁ ଖସି ପଡ଼ିବାରୁ ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଗତ ମଙ୍ଗଳବାର ମା’ ଗାୟତ୍ରୀ ନାମକ ଏକ ମାଛଧରା ବୋଟ୍ରେ ଚୁଡ଼ାମଣି ଜେଟିରୁ ସମୁଦ୍ରକୁ ମାଛ ଧରିବାକୁ ସାଥୀମାନଙ୍କ ସହ ଯାଇଥିଲେ। ଅସାବଧାନତା ବଶତଃ ସେ ବୋଟ୍ରୁ ସମୁଦ୍ରକୁ ଖସି ପଡ଼ିଥିଲେ। ସହଯୋଗୀ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସମୁଦ୍ର ମୁହାଣ ଅଭିମୁଖେ ଆସି ଶନିବାର କୂଳରେ ପହଞ୍ଚି ଥିଲେ। ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବାସୁଦେବପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୧/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି।