ହୀରାକୁଦ ଜଳଭଣ୍ଡାରରେ ଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୯ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଛଡାରମା ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରେ ଶନିବାର ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଙ୍ଗାଲି ଥାନା କଦମ୍ବଡିହି ଗ୍ରାମର ଜଗତ ଡନସେନା (୫୦)। ପୋଲିସ ମୃତଦେହ ଜବତ କରିିଛି। ମୃତକଙ୍କ ବଡଭାଇ ଭକ୍ତଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଅପମୃତ୍ୟୁ ମାମଲା(ନଂ.୧୬/୨୧) ରୁଜୁ ହୋଇଛି। ଅଭିଯୋଗରୁ ଜଣାପଡିଛି ଜଗତ ତାଙ୍କ ଡଙ୍ଗା ମରାମତି ପାଇଁ ସିଂହେଇପାଲି ଗ୍ରାମରେ ଦେଇଥିଲେ। ମରାମତି ପରେ ଜଗତ ଓ କୁଲିଆବେର୍ଣ୍ଣା ଗ୍ରାମର ପଣ୍ଡୁ ହୀରାକୁଦ ଜଳଭଣ୍ଡାରରେ ଡଙ୍ଗାବାହି ଗାଁକୁ ଯାଉଥିବାବେଳେ ଛଡାରମା ଗ୍ରାମ ନିକଟରେ ଖୁବ୍‌ଜୋର୍‌ରେ ଲହଡି ଆସିଥିଲା  । ଫଳରେ ଜଗତ ଭାରସାମ୍ୟ ହରାଇ ଡଙ୍ଗାରୁ ପାଣିକୁ ଖସିପଡିଥିଲେ। ପଣ୍ଡୁ ତାଙ୍କୁ ଉଦ୍ଧାରକରି କୂଳକୁ ଆଣିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

Share