ଅଚ୍ୟୁତ ସାମନ୍ତଙ୍କୁ ‘ଏଫ୍‌ଆଇଭିବି ଗ୍ରାଣ୍ଡ୍‌ କ୍ରସ୍‌ ସମ୍ମାନ’

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ (ଏଫ୍‌ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌’ ପ୍ରଦାନ କରାଯାଇଛି। ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ତ୍ତୁଗାଲର ପର୍ତ୍ତୋଠାରେ ୩୯ତମ ଏଫ୍‌ଆଇଭିବି ବିଶ୍ୱ କଂଗ୍ରେସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କ୍ରୀଡ଼ା ବିଶେଷକରି ଭଲିବଲର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡ. ସାମନ୍ତଙ୍କୁ ଏହି ସମ୍ମାନ ମିଳିଛି। ସମ୍ମାନ ପ୍ରଦାନ ସମାରୋହରେ ୨୨୨ ଦେଶରୁ ଆସିଥିବା ଭଲିବଲ ସଂଘର ସଭାପତି ତଥା ଅନ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ଏଫ୍‌ଆଇଭିବି ସଭାପତି ଡ. ଆରି ଗ୍ରାସା ଏହି ସମ୍ମାନ ପ୍ରଦାନ କରିଥିଲେ। ନିକଟରେ ଡ. ଗ୍ରାସା କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିବା ବେଳେ ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରିଥିଲେ। ସମ୍ମାନ ଗ୍ରହଣ କରି ଡ. ସାମନ୍ତ କହିଛନ୍ତି, ଏଫ୍‌ଆଇଭିବିର ସର୍ବୋଚ୍ଚ ସମ୍ମାନ ପାଇଁ ୨୨୨ଜଣଙ୍କ ମଧ୍ୟରୁ ମୋର ନାମକୁ ଅନୁମୋଦନ ମିଳିବା ଓ ଅତି ସ୍ନେହରେ ସମ୍ମାନ ପ୍ରଦାନ କରାଯାଇଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ଋଣୀ। ଏହାର ଶ୍ରେୟ ସେ ଭଗବାନଙ୍କୁ ଦେବା ସହ ଏହି ସମ୍ମାନକୁ ଭାରତର ସମସ୍ତ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀ ତଥା କିଟ୍‌ ଓ କିସକୁ ଉତ୍ସର୍ଗ କରିଛନ୍ତି।

Share