ପ୍ରେମିକାଙ୍କୁ ବିବାହ ପାଇଁ ଅଶ୍ଳୀଳ ଭିଡିଓ ଭାଇରାଲ, ୪ ମହିଳାଙ୍କ ସମେତ ୫ ଗିରଫ

ମାଲକାନଗିରି,୨୮।୩(ଡି.ଏନ.ଏ.): ପ୍ରେମିକାଙ୍କୁ ବିବାହ କରିବାକୁ ଯୋଜନା କରି ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ପରି ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ପରେ ୪ ମହିଳାଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ନାରାୟଣ ହାଲଦାର, ମମତା ମଣ୍ଡଳ, ଅନିମା ବିଶ୍ୱାସ, ମଧୁ ହାଲଦାର ଏବଂ କୃଷ୍ଣ ବାରୋଇ। ଖବରରୁ ଜଣାପଡ଼ିଛି, ମୋଟୁ ଥାନା ଅନ୍ତର୍ଗତ ଏମପି୍‌ଭି-୮୧ ଗ୍ରାମର ଜଣେ ନାବାଳିକା ଗତ ୨୩ ତାରିଖରେ ମାମୁଘର ଏମପି୍‌ଭି-୪୫ ଗ୍ରାମକୁ ଯାଇଥିଲେ। ସେହିଦିନ ରାତିରେ ଅଭିଯୁକ୍ତ ନାରାୟଣ ହାଲଦାର, ମମତା ମଣ୍ଡଳ, ଅନିମା ବିଶ୍ୱାସ ଏକ ବାଇକ୍‌ରେ ଏମପି୍‌ଭି-୪୫ ଗ୍ରାମକୁ ଯାଇ ନାବାଳିକାଙ୍କୁ ତାଙ୍କ ମାମୁଘରୁ ଅପହରଣ କରିନେଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିରଞ୍ଜନ ମାଝିଙ୍କୁ ହସ୍ତାନ୍ତର କରିଥିଲେ। ନିରଞ୍ଜନ ନାବାଳିକାଙ୍କ ସହ ଜୋରଜବରଦସ୍ତ ସମ୍ପର୍କ ରଖି ସେହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆ ମାଧ୍ୟମରେ ଭିଡିଓକୁ ବିଭିନ୍ନ ମୋବାଇଲକୁ ପଠାଇ ସମ୍ପୃକ୍ତା ନାବାଳିକାଙ୍କୁ ନିରଞ୍ଜନଙ୍କୁ ବିବାହ କରିବା ଲାଗି ବାଧ୍ୟ କରିଥିଲେ। ପୂର୍ବରୁ ନିରଞ୍ଜନ ଏହି ନାବାଳିକାଙ୍କୁ ଭଲ ପାଉଥିଲେ। ତାଙ୍କ ସହ ନାବାଳିକାଙ୍କୁ ବିବାହ କରିବାକୁ ତାଙ୍କ ବାପାଙ୍କୁ ବାଧ୍ୟ କରୁଥିଲେ। ବିବାହ ନ କଲେ ସେ ତାଙ୍କ ଝିଅକୁ ଅପହରଣ କରି ଜବରଦସ୍ତ ବିବାହ କରିବେ ବୋଲି ଚେତାବନୀ ଦେଇଥିଲେ। ଏନେଇ ନାବାଳିକାଙ୍କ ବାପା ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ୨୬/ ୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଫେରାର ହୋଇଯାଇଛନ୍ତି।