କୂଅରେ ପଡ଼ିଗଲେ ୫ ବାର୍‌ହା ଛୁଆ, ଆଉ ତାପରେ…

ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍‌ହା ଉପଦ୍ରବ ଲାଗିରହିଛି। ବାର୍‌ହା ପଲ ଲୋକଙ୍କ ବାରିରେ ପଶି ମକା ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଥିବାବେଳେ ସୋମବାର ଖଡ଼ିଆଳ ବନ କର୍ମଚାରୀ ଗଡ୍ରାମୁଣ୍ଡା ଗାଁର ଭୁବନେଶ୍ୱର ବନଛୋରଙ୍କ ଏକ କୂଅରୁ ପାଞ୍ଚଟି ବାର୍‌ହା ଛୁଆକୁ ଉଦ୍ଧାର କରିଛନ୍ତି।

ମିଳିଥିବା ସୂଚନା ମୁତବେକ, ସକାଳେ ବାର୍‌ହା ପଲ ଗ୍ରାମକୁ ମକା ଖାଇବାକୁ ଆସିଥିବା ବେଳେ ଭୁବନେଶ୍ୱର ବନଛୋରଙ୍କ ମକା ବଗିଚା ନିକଟ କୂଅରେ ୫ଟି ବାର୍‌ହା ଛୁଆ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ମୁକେଶ ଦଣ୍ଡସେନାଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚି ୫ ଗୋଟି ବାର୍‌ହା ଛୁଆକୁ କୂଅରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବାର୍‌ହା ଛୁଆମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିକଟସ୍ଥ ଜଙ୍ଗଲରେ ଛାଡିଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।