ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଉଛନ୍ତି ନ୍ୟୁ ହାମ୍ପଶାୟାରର ରକିଙ୍ଗହମର କ୍ୟାପଟେନ ନିକୋଲାସ ପି. ଲୋସାପିଓ (୩୧) ଏବଂ କାଲିଫର୍ନିଆ ପ୍ଲେସରର କ୍ୟାପଟେନ ଜନ୍‌ ଜେ ସାକ୍ସ (୩୩)।

ଏହି ଦୁର୍ଘଟଣାରେ ୩ ଟିଲ୍ଟ୍ରୋଟୋର କ୍ରୁ ମୁଖ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେମାନେ ହେଲେ ଇଲିନୋଇସର ଓ୍ବିନ୍ନବାଗୋର ନାଥାନ ଇ କାର୍ଲସନ (୨୧) ଏବଂ ଓ୍ବାୟୋମିଙ୍ଗର ଜନସନଙ୍କ ସେଠ୍‌ ଡି ରାସମୁସନ(୨୧) ଏବଂ ନ୍ୟୁ ମେକ୍ସିକୋର ଭାଲେନ୍ସିଆର ୧୯ ବର୍ଷର ଇଭାନ ଏ ଷ୍ଟ୍ରିକଲ୍ୟାଣ୍ଡ।

ସ୍କ୍ବାଡ୍ର୍‌ନର କମାଣ୍ଡିଂ ଅଫିସର ଲେଫ୍ଟ କର୍ଣ୍ଣଲ ଜନ୍‌ ସି ମିଲର କହିଛନ୍ତି, ଏହି ଦୁର୍ଘଟଣାରେ ଆମେ ମୃତ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛୁ। ତେବେ କାହିଁକି ଏପରି ଦୁର୍ଘଟଣା ଘଟିଲା ତା’ର ଅନୁସନ୍ଧାନ କରାଯାଉଛି।

Share