ଥାନା ପରିସରରେ ବୋମା ଫିଙ୍ଗି ଆକ୍ରମଣ, ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ମୃତ

ନାଏପିଡାଉ,୫।୯: ପୂର୍ବ ମିଆଁମାରର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ପରିସରରେ ଡ୍ରୋନରେ ଆକ୍ରମଣ ହୋଇଛି। ଏଥିରେ ଜଣେ ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ଏପରି ବଢ ଧରଣର ଆକ୍ରମଣ କରାଯାଇଛି ବୋଲି ସନ୍ଦେହ କରାଯାଉଛି। ଫେବୃଆରୀ ୨୦୨୧ରେ ନିର୍ବାଚିତ ଅଙ୍ଗ ସାନ ସୁ କିଙ୍କ ସରକାରଙ୍କଠାରୁ କ୍ଷମତା ଛଡାଇ ନେଇଥିବା ସାମରିକ ବାହିନୀ ବିରୋଧରେ ଦୁଇ ବର୍ଷ ହେଲା ସଶସ୍ତ୍ର ପ୍ରତିରୋଧ ଜାରି ରହିଛି।

ତେବେ ଏହି ସାମରିକ ବାହିନୀ ବିରୋଧ କରିବାକୁ ଯାଇ ସ୍ଥାନୀୟ ସଶସ୍ତ୍ର ଗୋଷ୍ଠୀ ଗଠନ କରାଯାଇଛି। ସେମାନଙ୍କୁ ପିପୁଲ୍ସ ଡିଫେନ୍ସ ଫୋର୍ସ ବା ପିଡିଏଫ ଭାବରେ ପରିଚିତ। ପିଡିଏଫ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି। ପିଡିଏଫ ସୀମାନ୍ତବର୍ତ୍ତୀ ଅଞ୍ଚଳର ପ୍ରମୁଖ ଗୋଷ୍ଠୀ ଜାତୀୟ ଗରିଲା ଗୋଷ୍ଠୀ ସହ ମେଣ୍ଟ କରିଛି। ଗରିଲା ଗୋଷ୍ଠୀ ଅଧିକ ସ୍ବାଧୀନତା ଦାବିରେ ଦଶନ୍ଧି ଦଶନ୍ଧି ଧରି ସେନା ବିରୋଧରେ ସଶସ୍ତ୍ର ସଂଗ୍ରାମ ଜାରି ରଖିଛି।

ଦୁଇଜଣ ଉଦ୍ଧାରକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଥାନା ପରିସରରରେ ଡ୍ରୋନରୁ ଦୁଇଟି ବୋମା ଫିଙ୍ଗି ଦିଆଯାଇଥିଲା। ଆକ୍ରମଣରେ ମିଆୱାଡି ଟାଉନସିପରେ ଅବସ୍ଥିତ ବାଟାଲିଅନର ଅସ୍ଥାୟୀ କମାଣ୍ଡର ଲେଫ୍ଟ କର୍ଣ୍ଣଲ ଅଙ୍ଗ କାୟୁ ମିନି ଏବଂ ଜଣେ ପୋଲିସ ଅଧିକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଥିସହ ମିଆୱାଡିର ଜିଲା ପ୍ରଶାସକ ସୋ ଟିଣ୍ଟ, ତାଙ୍କ ସହାୟକ ଟୁନ ଟୁନ ନେନ ଏବଂ ଜଣେ କିରାଣୀ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।

ଥାଇଲାଣ୍ଡ ସୀମାରେ ଦକ୍ଷିଣ-ପୂର୍ବ କେଇନ ରାଜ୍ୟର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ମାୟାୱାଡି ସହରରେ ଜିଲା ପୋଲିସ କାର୍ଯ୍ୟାଳୟ ଅବସ୍ଥିତ। ଏହି ଆକ୍ରମଣରେ ଆହତ ହୋଇଥିବା ୧୦ଜଣ ପ୍ରଶାସନିକ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

Share