ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ମାଓବାଦୀ ମୃତ

ମାଲକାନଗିରି,୧୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ ଓ ତେଲେଙ୍ଗାନାର ୨ଟି ପୃଥକ ସ୍ଥାନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ତେଲେଙ୍ଗାନା ରାଜ୍ୟ ଓ ଛତିଶଗଡ ସୀମାନ୍ତବର୍ତ୍ତୀ ଇଲ୍ମିଡି ପୋଲିସ ଷ୍ଟେଶନ ଅନ୍ତର୍ଗତରେ ଥିବା ସେମାଲଡୋଡି ଓ ତେଲେଙ୍ଗାନାର ପେରୁଗୁଲୁ ଗ୍ରାମ ନିକଟ ଜଙ୍ଗଲରେ ଗ୍ରେହାଉଣ୍ଡ, ଡିଆର୍‌ଜି ଓ ସିଆରପିଏଫ୍‌ ଯବାନ ମାନେ କୁମ୍ବିଂ ଅପରେଶନ କରୁଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ଘଟିଥିଲା। ପରେ ସର୍ଚ୍ଚ ଅପରେଶନ ସମୟରେ ଚାରିଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲାା ସେଥିମଧ୍ୟରୁ ଜଣେ ଡିଭିସିଏମ୍‌ ସୁଧାକର ବୋଲି ଜଣାପଡିଛି। ତେବେ ଏହି ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି। ଉକ୍ତ ଯବାନଙ୍କୁ ହେଲିକପ୍ଟର ଯୋଗେ ବରଙ୍ଗଲ ଜିଲାକୁ ସ୍ଥାନାନ୍ତର କରି ଚିକିତ୍ସା ଜାରି ରହିିଛି। ସେହିପରି ଛତିଶଗଡ ରାଜ୍ୟ ଦାନ୍ତେବାଡା ଓ ସୁକୁମା ସୀମାନ୍ତବର୍ତ୍ତୀ ମାର୍ଜୁମ୍‌ ଅଞ୍ଚଳରେ ମଧ୍ୟ ପୋଲିସ ଓ ମାଓବାଦୀଙ୍କ ଗୁଳିବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ମହିଳା ମାଓବାଦୀ ତଥା ଏସିଏମ୍‌ର ମୁନି ବୋଲି ଜଣାପଡିଥିବା ବସ୍ତର ଆଇ.ଜି.ପି. ସୁନ୍ଦର ରାଜ ସୂଚନା ଦେଇଛନ୍ତି।

Share