ଜମ୍ମୁ,୬।୮: ଜମ୍ମୁ-କଶ୍ମୀର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା କରିବାକୁ ଇଛା ପ୍ରକାଶ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର। ଖୁବ୍ଶୀଘ୍ର ସେମାନଙ୍କର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ କରୋନା ଲକ୍ଡାଉନ ଯୋଗୁ ଦୀର୍ଘ ୫ମାସ ଧରି ବନ୍ଦ ରହିଥିବା ଧାର୍ମିକ ସ୍ଥଳକୁ ଅଗଷ୍ଟ ୧୬ରୁ ଖୋଲିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିରେ ବୈଷ୍ଣୋଦେବୀ ଯାତ୍ରା ମଧ୍ୟ ସାମିଲ ରହିଛି। କିନ୍ତୁ ଧାର୍ମିକ ଶୋଭାଯାତ୍ରା ଓ ଧାର୍ମିକ ଆୟୋଜନ ଉପରେ ଏବେ ବି କଟକଣା ଜାରି ରହିବ। ତେବେ ସରକାରୀ ଆଦେଶରେ ମା’ ବେଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ କରିବାକୁ କୌଣସି ପୃଥକ ଉଲ୍ଲେଖ କରାଯାଇନାହିଁ। କିନ୍ତୁ ଅନ୍ୟ ଧାର୍ମିକ ସ୍ଥାନ ପରି ଏହି ଯାତ୍ରା ଆରମ୍ଭ ହେବ ବୋଲି କୁହାଯାଉଛି। ହେଲେ ଏହି ସମୟରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।