ନିରଞ୍ଜନଙ୍କ ବିରୋଧରେ ଆଉ ୫ ଅଭିଯୋଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମାମଲାରେ ବିଲ୍ଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗୁରୁବାର ଶହୀଦନଗର ଥାନା ପୋଲିସ ଗିରଫ କରିଥିଲା। ତେବେ ସେ ଜେଲ୍‌ ଯିବାପରେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି। ସୋମବାର ଶହୀଦନଗର ଥାନାରେ ଯାଜପୁର ଜିଲାରୁ ୪ଜଣ ଓ କଟକର ଜଣେ ବ୍ୟକ୍ତି ଠକେଇ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ନିରଞ୍ଜନ ୧୫ବର୍ଷ ତଳେ ସେମାନଙ୍କୁ ଭୁବନେଶ୍ୱରରେ ଜମି ଦେବାକୁ କହି ୨ଲକ୍ଷ ଟଙ୍କା ଲେଖାଏ ଆଡଭାନ୍ସ ନେଇଥିଲେ। ପରେ ଜମି ଦେଇ ନ ଥିଲେ କି ଟଙ୍କା ଫେରସ୍ତ କରି ନ ଥିଲେ। ଟଙ୍କା ମାଗିଲେ ମାରିଦେବାକୁ ଧମକ ଦେଉଥିଲେ। ତେବେ ନିରଞ୍ଜନ ଗିରଫ ହୋଇଥିବା ଶୁଣିବା ପରେ ସେମାନଙ୍କ ସହ ଠକେଇର ଶିକାର ଅନ୍ୟମାନେ ମଧ୍ୟ ଥାନାରେ ଅଭିଯୋଗ କରିବାକୁ ସାହସ ଜୁଟାଇଛନ୍ତି। ତେବେ ଲିଖିତ ଅଭିଯାଗ ଆଧାରରେ ପୋଲିସ ନିରଞ୍ଜନଙ୍କ ବିରୋଧରେ ଆଉ ୫ଟି ମାମଲା ରୁଜୁ କରିଛି। ଅଭିଯୋଗର ସଂଖ୍ୟା ଆହୁରି ବୃଦ୍ଧି ଘଟିପାରେ ବୋଲି ପୋଲିସ ଆଶଙ୍କା କରୁଛି। ଅନ୍ୟପକ୍ଷେ ନିରଞ୍ଜନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବାକୁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। ରିମାଣ୍ଡରେ ଆସିବା ପରେ ତାଙ୍କ ଠକେଇ ର଼୍ୟାକେଟର ଆହୁରି ବହୁ ତଥ୍ୟ ମିଳିବ। ତେବେ ଏପର୍ଯ୍ୟନ୍ତ ବଡ଼ଗଡ ଓ ଶହୀଦନଗର ଥାନାକୁ ମିଶାଇ ନିରଞ୍ଜନଙ୍କ ବିରୋଧରେ ୨୫ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ପୂର୍ବରୁ ସେ ଇଓଡବ୍ଲୁ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ଏଥିସହିତ ଠକେଇ ଟଙ୍କାରେ ସେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରୁଥିଲେ। କମିଶନରେଟ୍‌ ପୋଲିସର ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତାଙ୍କୁ ସେ ସମୟରେ ସାହାଯ୍ୟ କରୁଥିବା ମଧ୍ୟ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ନିରଞ୍ଜନଙ୍କ ନାମରେ ଆସୁଥିବା ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ଅଧିକାରୀ ଚାପି ଦେଉଥିବା କଥା ବି ଉଠିଥିଲା। ନିରଞ୍ଜନଙ୍କଠାରୁ ଏସବୁ ଗୁମର ଖୋଲିବ ବୋଲି ପୋଲିସ ଆଶା ରଖିଛି। ଉଲ୍ଲେଖଯୋଗ୍ୟ, ନିରଞ୍ଜନଙ୍କର ପାହାଳ, ବାଲିଅନ୍ତା, ବାଲିପାଟଣା ସମେତ ବିଭିନ୍ନ ସ୍ଥାନରେ ପ୍ରୋଜେକ୍ଟ ରହିଛି। ସେ ସେଠାରେ ଜମି ଦେବାକୁ କହି ଅନେକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଇଥିଲେ। ଠକେଇରେ ଶିକାର ଲୋକେ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଥିଲା।

Share