Categories: ବାଣିଜ୍ୟ

ପହିଲାରୁ ଲାଗୁହେବ ୫ ନୂଆ ନିୟମ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ସାରା ଦେଶରେ ୫ ନୂଆ ନିୟମ କାର୍ଯ୍ୟକାରୀ ହେବ। ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ପଡିବାକୁ ଯାଉଛି। ଏଣୁ ଏହି ନିୟମ ସବୁକୁ ଜାଣିବାର ଆବଶ୍ୟକତା ରହିଛି। ରନ୍ଧନ ଗ୍ୟାସ ସିଲିଣ୍ଡରଠାରୁ ଆରମ୍ଭ କରି ବ୍ୟାଙ୍କର ଆର୍‌ଟିଜିଏସ୍‌ ଭଳି ନିୟମ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ଲୋକମାନେ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ (ଆର୍‌ଟିଜିଏସ୍‌)ର ସୁବିଧା ପହିଲାରୁ ୪ ଦିନ ଏବଂ ୨୪ ଘଣ୍ଟା ନେଇପାରିବେ। ଏ ନେଇ ରିଜର୍ଭ ବ୍ୟାଙ୍କ କିଛି ଦିନ ଆଗରୁ ନିଷ୍ପତ୍ତି ନେଇଥିଲା। ଆର୍‌ଟିଜିଏସ୍‌ ବର୍ତ୍ତମାନ ବ୍ୟାଙ୍କର ସମସ୍ତ କାର୍ଯ୍ୟଦିବସ (ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର)ଛଡା ସକାଳ ୭ରୁ ସଂଧ୍ୟା ୬ଟା ମଧ୍ୟରେ ଉପଲବ୍ଧ ହେଉଛି। ସୂଚନାଯୋଗ୍ୟ, ଏନ୍‌ଇଏଫ୍‌ଟିକୁ ୨୦୧୯ ଡିସେମ୍ବରଠାରୁ ୨୪ ଘଣ୍ଟିଆ କରାଯାଇଛି।
ସେହିଭଳି ଡିସେମ୍ବର ୧ରୁ କିଛି ନୂଆ ଟ୍ରେନ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ କିଛି ଟ୍ରେନକୁ ପରିଚାଳନା କରାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ ଝେଲମ ଏକ୍ସପ୍ରେସ ଏବଂ ପଞ୍ଜାବ ମେଲ୍‌ ସାମିଲ ରହିଛି। ବୀମା ପଲିସିର କିସ୍ତି ଭରି ନ ପାରିଲେ ପଲିସି ବନ୍ଦ ହୋଇ ଯାଇଥାଏ। ଫଳରେ ଜମା ଟଙ୍କା ଆଉ ମିଳି ନ ଥାଏ। ଆସିବାକୁ ଥିବା ନୂଆ ବ୍ୟବସ୍ଥା ମୁତାବକ ୫ ବର୍ଷ ପରେ ବୀମାଧାରକ ବୀମା ରାଶିକୁ ୫୦% ପର୍ଯ୍ୟନ୍ତ କମ୍‌ କରିପାରିବେ। ଅର୍ଥାତ ଅଧା କିସ୍ତି ସହ ସେ ପଲିସି ଜାରି ରଖିପାରିବେ। ସେହିଭଳି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବା କ୍ଷେତ୍ରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ଭିତ୍ତିକ ଉଠାଣ ନେଇ ଘୋଷଣା କରିଛି। ଡିସେମ୍ବର ପହିଲାରୁ ରାତି ୮ରୁ ସକାଳ ୮ ମଧ୍ୟରେ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଉଠାଣ ଉପରେ ଓଟିପି ଦେବାକୁ ପଡିବ। ଏହାବାଦ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ପହିଲାରୁ ଗ୍ୟାସ ସିଲିଣ୍ଡର ମୂଲ୍ୟ ବଢ଼ାଇବେ ବୋଲି ଜଣାପଡିଛି।

Share