ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ଭୋରରୁ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପ୍ରକଳ୍ପ ଅଞ୍ଚଳର ସ୍ଥିତି ତଦାରଖ କରିଛନ୍ତି। ସେ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ମେଗା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛନ୍ତି। ସେ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରକଳ୍ପ ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରିଛନ୍ତି। ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ପୁନଃ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ବିକଳ୍ପ ରାସ୍ତାର ବିକାଶ ଏବଂ ଆବର୍ଜନା ସଫା କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ୫-ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର, ବିଏମ୍‌ସି କମିଶନର୍‌ ପ୍ରେମ୍‌ଚନ୍ଦ୍ର ଚୌଧାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରେ ଏବେ ଏକାମ୍ର କ୍ଷେତ୍ରର ବିକାଶ ରାଜ୍ୟ ସରକାରଙ୍କ ଫୋକସରେ ରହିଛି। ତେଣୁ ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ଏହି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ଅଗ୍ରଗତିର ସମୀକ୍ଷା କରିଥିଲେ। କାର୍ଯ୍ୟର ଅଗ୍ରଗତି ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ସେବାୟତମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏକାମ୍ର କ୍ଷେତ୍ର ବୁଲି ଦେଖିବା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଶ୍ରୀମନ୍ଦିର ଢାଞ୍ଚାରେ ସ୍ବତନ୍ତ୍ର ଆଇନ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Share