ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଲହୁଲୁହାଣ

ନରସିଂହପୁର,୧୧ା୭ (ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କେତେଜଣ ଶିକ୍ଷକ ନିୟମ ଉଲ୍ଲଂଘନ କରି ପିଲାଙ୍କୁ ମାଡ଼ ମାରୁଛନ୍ତି। କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତର ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଡେପୁଟେଶନ୍‌ରେ ଆସିଥିବା ଜଣେ ଶିକ୍ଷକ ୫ ଜଣ ପିଲାଙ୍କୁ ବେତରେ ପିଟି ଲହୁଲୁହାଣ କରିଛନ୍ତି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶନିବାର ସେ ବିଦ୍ୟାଳୟ କାମରେ ବଡ଼ମ୍ବା ଯାଇଥିଲେ। ଏନେଇ ଦିନକ ପାଇଁ ଦେବଭୂଇଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଧବ ରାଉଳ ଏହି ବିଦ୍ୟାଳୟକୁ ଡେପୁଟେଶନରେ ଆସିଥିଲେ। ସେ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଚେୟାରରେ ବସି କିଛି ସମୟ ପାଇଁ ଶୋଇଯାଇଥିଲେ। ଏହି ସମୟରେ ଜଣେ ପିଲା ଶୌଚ ଯିବାକୁ ସାର୍‌ଙ୍କ ଅନୁମତି ମାଗିଥିଲା। ନିଦ ବାଉଳାରେ ସାର୍‌ ତାଙ୍କୁ ହଁ କରିଦେଇଥିଲେ। ଏହାର ସୁଯୋଗ ନେଇ ଆଉ ୪ଜଣ ଛାତ୍ର ମଧ୍ୟ ବାହାରକୁ ଚାଲିଯାଇଥିଲେ । ଛାତ୍ରମାନେ କିଛି ସମୟ ପରେ ଶ୍ରେଣୀଗୃହକୁ ଫେରିଲାବେଳକୁ ସାର୍‌ଙ୍କ ନିଦ ଭାଙ୍ଗି ଯାଇଥିଲା। ବିନା ଅନୁମତିରେ ବାହାରକୁ କାହିଁକି ଯାଇଥିଲ ବୋଲି କହି ଶିକ୍ଷକ ରାଉଳ ସେମାନଙ୍କୁ ବେତରେ ନିର୍ଘାତ ପିଟିଥିଲେ। ଫଳରେ ଛାତ୍ରମାନେ ଯନ୍ତ୍ରଣା ଅନୁଭବ କରି ଘରେ ଜଣାଇଥିଲେ। ଏହାପରେ ଅଭିଭାବକମାନେ ସେମାନଙ୍କୁ ନେଇ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ରବୀନ୍ଦ୍ର କୁମାର ପ୍ରଧାନ ଆହତ ଛାତ୍ରମାନଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ଅଭିଭାବକଙ୍କ ସହ ଆଲୋଚନା କରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତଶ୍ରୁତି ଦେଇଥିଲେ। ଶିକ୍ଷକ ମାଧବ ରାଉଳ ସେହି ଗ୍ରାମର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ କିଛି ଗ୍ରାମବାସୀ ଓ ଜନପ୍ରତିନିଧି ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରିଦେଇଥିଲେ। ମାଡ଼ ମାରିବା ଘଟଣାକୁ ବିଇଓ ପ୍ରଧାନ ନିନ୍ଦା କରିବା ସହ ବୁଝାମଣା ହୋଇଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଥିଲେ ମଧ୍ୟ ରାଉଳଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି।

Share