୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ ୪ ବନ୍ଧୁକ, ୧୨ରାଉଣ୍ଡ ଗୁଳି, ଟର୍ଚ୍ଚ ଓ ୧୨ଶହ ଟଙ୍କା ଜବତ କରାଯାଇଛି। ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ.୫୫/୨୧) ରୁଜୁ କରାଯାଇ ଦଫା ୩୯୨/୩୯୮ ଆଇପିସି ୨୫/୨୭ ଆର୍ମସ ଆକ୍ଟରେ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ନବକିଶୋରଙ୍କ ଘର ଚାନ୍ଦିପୁର ଥାନା ପାତ୍ରପଡ଼ା ଗ୍ରାମରେ। ସେ ଗ୍ୟାଙ୍ଗଷ୍ଟାରମାନଙ୍କ ସହ ସମ୍ପୃକ୍ତ ରହି ସ୍ଥାନୀୟ ବ୍ୟବସାୟୀ, ବାଲି ବେପାରୀ, ଜମି ବ୍ୟବସାୟୀ ଏବଂ ବିଲ୍ଡର୍ସମାନଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ। ତାଙ୍କ ନାମରେ ହତ୍ୟା, ଛିନ୍‌ତାଇ, ଡକାୟତି ଭଳି ବହୁ ମାମଲା ଜିଲାର ବିଭିନ୍ନ ଥାନାରେ ରହିଛି। ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୨୬୩/୧୧, ୧୪୮/୧୬, ୩୦୪/୧୭, ୨୦୫/୧୯, ୫୫/୨୧), ଟାଉନ୍‌ ଥାନାରେ ମାମଲା (ନଂ. ୧୧୨/୧୧, ୩୫/୧୨) ଓ ଶିଳ୍ପାଞ୍ଚଳ ଥାନାରେ ମାମଲା (ନଂ. ୧୨୪/୧୭) ରହିଛି। ସହଦେବଖୁଣ୍ଟା ମଡ଼େଲ ଥାନା ସବ୍‌ଇନ୍ସପେକ୍ଟର ବିରଞ୍ଚତ୍ ସାହୁଙ୍କ ସୂଚନା ଅନୁଯାୟୀ, ୧୬ନଂ. ଜାତୀୟ ରାଜପଥର ନହରପାଟଣା ପୋଲ ଉପରେ ନବକିଶୋର ପ୍ରଥମେ ଜଣଙ୍କୁ ଅଟକାଇ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ୩ଶହ ଟଙ୍କା ଆଦାୟ କରିଥିଲେ। ପରେ ଅନ୍ୟ ଜଣଙ୍କ ପାଖରୁ ବନ୍ଧୁକ ଦେଖାଇ ୨ଶହ ଟଙ୍କା ଲୁଟ୍‌ କରିଥିଲେ। ପୋଲିସ ପହଞ୍ଚି ତାଙ୍କୁ କୌଶଳ କ୍ରମେ ଗିରଫ କରିଥିଲା। ଗତ ୨୦୧୬ରେ ହୋଇଥିବା ଖାସୁଆ ହତ୍ୟା ମାମଲା ଏବଂ ଆନନ୍ଦବଜାରରେ ହୋଇଥିବା ହତ୍ୟା ମାମଲାରେ ନବକିଶୋର ସମ୍ପୃକ୍ତ ଥିଲେ। ପୋଲିସ ଦୀର୍ଘ ଦିନ ହେଲା ତାଙ୍କୁ ଖୋଜୁଥିଲା।

Share