ସିଓଲ ହଲୋଇନ ପାର୍ଟିରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି

ସିଓଲ, ୩୦ା୧୦:ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହଲୋଇନ୍‌ ଉତ୍ସବ ପାଳନବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି, ଯାହାଙ୍କ ବୟସ ୨୦ରୁ ୩୦ ହେବ। ସେହିପରି ସେମାନଙ୍କ ଭିତରେ ୧୯ ମୃତକ ହେଉଛନ୍ତି ବିଦେଶୀ ନାଗରିକ। କୋଭିଡ୍‌-୧୯ କଟକଣା ହଟିବା ପରେ ଦେଶରେ ପ୍ରଥମ ଥର ପାଇଁ ଏହି ଆଉଟ୍‌ ଡୋର୍‌ ଉତ୍ସବ ଆୟୋଜନ ହୋଇଥିଲା। ଅପ୍ରଶସ୍ତ ରାସ୍ତାରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ସେଠାରେ ଜମା ହୋଇଯାଇଥିଲେ। ଭିଡ଼ ବଢ଼ିବା କାରଣରୁ ଲୋକେ ସେଠାରେ ନିଶ୍ୱାସପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଫଳରେ ସେଠାରୁ ସେମାନେ ବାହାରିବାକୁ ଉଦ୍ୟମ କରିବା ଆରମ୍ଭ କରିଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଲୋକେ ପରସ୍ପର ଉପରେ ଚଢ଼ିଯାଇଥିଲେ। ଘଟଣାସ୍ଥଳରେ ଅନେକଙ୍କୁ ହୃଦ୍‌ଘାତ ହୋଇଥିଲା। ଏବେ ବି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ ୧୯ ବିଦେଶ ନାଗରିକ ଚାଇନା, ଇରାନ, ଉଜବେକିସ୍ତାନ ଏବଂ ନରଓ୍ବେର ବୋଲି ଜଣାପଡ଼ିଛି। ଭିଡ଼ ନିୟନ୍ତ୍ରଣରେ ପୋଲିସ ବିଫଳ ହେବା ଯୋଗୁ ଏପରି ଘଟିଥିବା କୁହାଯାଉଛି। ଘଟଣାରେ ବିଶ୍ୱନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସମୟରେ ନୂଆଦିଲ୍ଲୀ ଦକ୍ଷିଣ କୋରିଆ ସହ ଛିଡ଼ାହୋଇଛି ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ପ୍ରକାଶ ଥାଉ କି ଗତ ୨ ତାରିଖରେ ଇଣ୍ଡୋନେସିଆର ମଲଙ୍ଗ୍‌ ଫୁଟବଲ୍‌ ଷ୍ଟାଡିୟମରେ ଦଳାଚକଟା ଯୋଗୁ ଅନୂ୍ୟନ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିଲା।

Share