ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଜଣେ ଜଣାଶୁଣା ବିପ୍ଳବୀ। ଗଡ଼ଜାତ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାଏଙ୍କ ଜନ୍ମ ୨୩ ଜାନୁୟାରୀ ୧୮୦୯ରେ ଓଡ଼ିଶାର ସମ୍ବଲପୁରର ଉତ୍ତରରେ ୪୦ କିଲୋମିଟର ଦୂରରେ ଖିଣ୍ଡା ଗାଁରେ ହୋଇଥିଲା। ସେ ପିତା ଧର୍ମ ସିଂଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ଜଣେ ଥିଲେ। ଧର୍ମ ସିଂଙ୍କ ପରିବାର ସମ୍ବଲପୁର ରାଜ୍ୟ ଶାସକ ପରିବାରର ବଂଶଧର ଥିଲେ।
ସମ୍ବଲପୁରରେ ଜନଜାତିଙ୍କ ଭାଷା ଏବଂ ସଂସ୍କୃତିର ବିକାଶ ପାଇଁ ସାଏ ଅବଦାନ ଉଲ୍ଲେଖନୀୟ ଥିଲା। ଏହା ଦ୍ୱାରା ତତ୍କାଳୀନ ବ୍ରିଟିଶ୍ ସରକାରଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା।
୧୮୨୭ ମସିହାରେ ସମ୍ବଲପୁରର ଶାସକ, ରାଜା ମହାରାଜା ସାଏଙ୍କର ଉତ୍ତରାଧିକାରୀ ବିନା ମୃତ୍ୟୁ ଘଟିଥିଲା। ବ୍ରିଟିଶ ସରକାର ତାଙ୍କ ରାଣୀ ମୋହନ କୁମାରୀଙ୍କୁ ରାଜ୍ୟର ଶାସକ ଭାବରେ ଘୋଷଣା କରିଥିଲେ। ଏହା ସ୍ଥାନୀୟ ନିୟମ ବିରୁଦ୍ଧରେ ଥିଲା। ସେତେବେଳେ ସେଠାରେ କେବଳ ପୁରୁଷ ଶାସକମାନେ ହିଁ ଶାସନ ଡୋର ଧରିବା ଜନସାଧାରଣଙ୍କ ଲାଗି ଗ୍ରହଣୀୟ ଥିଲେ। ଫଳସ୍ବରୂପ ବ୍ରିଟିଶ୍ ସ୍ବୀକୃତିପ୍ରାପ୍ତ ଶାସକ ଏବଂ ବିରୋଧିମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା। ସମ୍ବଲପୁରର ସିଂହାସନ ପାଇଁ ସୁରେନ୍ଦ୍ର ସାଏ ଶାସକ ବଂଶର ଅନ୍ୟତମ ମୁଖ୍ୟ ଦାବିଦାର ଥିଲେ। ସମୟ ସହିତ ତାଳ ଦେଇ ରାଣୀ ମୋହନ କୁମାରୀ ଜନପ୍ରିୟ ହୋଇ ପାରି ନ ଥିଲେ। ତାଙ୍କର ରାଜସ୍ବ ନୀତି ଗୋଣ୍ଡ ଏବଂ ବିଞ୍ଝାଲ ଜନଜାତି ଜମିଦାରଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ଫଳରେ ବ୍ରିଟିଶମାନଙ୍କ ମଧ୍ୟରେ କ୍ଷମତା ହରାଇବା ଆଶଙ୍କା ବୃଦ୍ଧି ପାଇଥିଲା। ବ୍ରିଟିଶ ଶାସକ ରାଣୀଙ୍କୁ କ୍ଷମତାରୁ ହଟାଇ ରାଜ ପରିବାରର ବଂଶଧରର ନାରାୟଣ ସିଂଙ୍କୁ ସମ୍ବଲପୁରର ରାଜା ଭାବରେ ନିଯୁକ୍ତ କରିଥିଲେ। ଉତ୍ତରାଧିକାରୀ ପାଇଁ ସୁରେନ୍ଦ୍ର ସାଇଙ୍କ ଦାବିକୁ ବ୍ରିଟିଶ ସରକାର ଅଣଦେଖା କରିବାରୁ ନାରାୟଣ ସିଂଙ୍କ ଶାସନରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସୁରେନ୍ଦ୍ର ସାଏ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଗୋଣ୍ଡ ଜମିଦାରମାନେ ଏହାକୁ ବିରୋଧ କରି ସ୍ବର ଉତ୍ତୋଳନ କରି ଥିଲେ।
୧୮୨୭ ମସିହାରେ ୧୮ ବର୍ଷ ବୟସରେ ବ୍ରିଟିଶଙ୍କ ବିରୁଦ୍ଧରେ ଯୁବକ ସାଏ ବିଦ୍ରୋହ କରିବା ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ତାଙ୍କୁ ୧୮୪୦ ମସିହାରେ ଗିରଫ କରାଯାଇ ହଜାରିବାଗ ଜେଲକୁ ପଠାଯାଇଥିଲା। ତାଙ୍କ ଭାଇ ଉଦୟନ୍ତ ସାଏ ଏବଂ ମାମୁଁ ବଳରାମ ସିଂଙ୍କୁ ମଧ୍ୟ ହଜାରିବାଗ ଜେଲକୁ ପଠାଯାଇଥିଲା। ସେଠାରେ ବଳରାମ ସିଂଙ୍କର ମୃତ୍ୟୁ ଘଟିଥିଲା।
ରାଜା ନାରାୟଣ ସିଂଙ୍କର ୧୮୪୯ ମସିହାରେ ମୃତ୍ୟୁ ହୋଇଥିଲା। ନାରାୟଣ ସିଂଙ୍କ ଅନ୍ତେ ଶାସନ ଭାର ଗ୍ରହଣ କରିବା ଲାଗି କୌଣସି ପୁରୁଷ ଉତ୍ତରାଧିକାରୀ ନ ଥିଲେ। ତେଣୁ ପ୍ରଚଳିତ ଡକ୍ଟରାଇନ ଅଫ ଲାପ୍ସ ଅନୁଯାୟୀ ସମ୍ବଲପୁରର ଶାସନ ବ୍ରିଟିଶ୍ ଶାସକଙ୍କ ହାତକୁ ଚାଲି ଯାଇଥିଲା।
ଜେଲ୍ରେ ରହି ମଧ୍ୟ ସୁରେନ୍ଦ୍ର ସାଏ ଆନ୍ଦୋଳନକୁ ପରିଚାଳନା କରୁଥିଲେ। ୧୮୫୭ରେ ସିପାହୀ ବିଦ୍ରୋହ ସମୟରେ ବିଦ୍ରୋହୀ ହଜାରିବାଗ ଜେଲ୍କୁ ଭାଙ୍ଗି ଦେଇଥିଲେ। ସାଏ ବାହାରକୁ ଆସିଥିଲେ।
ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସମ୍ବଲପୁରରେ ପୁଣି ବ୍ରିଟିଶମାନଙ୍କ ବିରୋଧରେ ସଂଗ୍ରାମ ଜାରି ରହିଲା। ତାଙ୍କୁ ସାଏଙ୍କୁ ତାଙ୍କ ଭାଇ, ପୁଅ, ସମ୍ପର୍କୀୟ ଏବଂ କେତେକ ଜମିଦାର ସମର୍ଥନ ମଧ୍ୟ କରିଥିଲେ। ତେବେ ସାଏ ହଜାରିବାଗ ଜେଲ୍ରେ ୧୭ ବର୍ଷ ରହିଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ସୁଦୂର ଅସୀରଗଡ ପାହାଡିଆ ଦୁର୍ଗରେ ପ୍ରାୟ ୧୯ ବର୍ଷ ବନ୍ଦୀ ହୋଇ ରହିଥିଲେ। ତେବେ ବି ସେ ବ୍ରିଟିଶ୍ ସରକାରଙ୍କ ଆଗରେ ମୁଣ୍ଡ ନୋଇ ନ ଥିଲେ। ୨୮ ଫେବୃୟାରୀ ୧୮୮୪ରେ ଅସୀରଗଡ଼ ଦୁର୍ଗରେ ସାଏଙ୍କ ମୃତ୍ୟୁ ଘଟିଥିଲ। ମାତ୍ର ସାଏଙ୍କ ଦ୍ୱାରା ଦେଶପ୍ରେମ ବହ୍ନି ପରବର୍ତ୍ତୀ ସମୟରେ ଦେଶ ସ୍ବାଧୀନୀ ପଥକୁ ଆଲୋକିତ କରିଥିଲା। ସେ ପାଲଟି ଥିଲେ ସଂଗ୍ରାମୀଙ୍କର ପ୍ରେରଣାର ଉତ୍ସ ତଥା ସ୍ବାଧିନତା ପଥର ଆଲୋକ ଶିଖା।