ଚୁଡ଼ାରେ ରଙ୍ଗ: ମାଲଗୋଦାମରେ ଚଢ଼ାଉ

କଟକ,୨୦ା୬ (କାର୍ତ୍ତିକ ସାହୁ)ସାଧାରଣ ଲୋକଠୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ଦ୍ୱାରା ଚୁଡ଼ା ଏକ ସହଜ, ସରଳ ତଥା ଗ୍ରହଣୀୟ ଖାଦ୍ୟ। ମାତ୍ର ସେହି ଚୁଡ଼ାରେ ଅପମିଶ୍ରଣ ହେଉଛି। ଏହାକୁ ନେଇ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ଉପକୂଳ ଜିଲାର ମିଲ୍‌ଗୁଡ଼ିକରୁ ରଙ୍ଗିନ ଚୁଡ଼ା ଆମଦାନୀ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ କଟକ ମହାନଗର ନିଗମ (ସିଏମ୍‌ସି) ଅଧିକାରୀମାନେ ବୁଧବାର ଅପରାହ୍ନରେ ମାଲଗୋଦାମରେ ଚଢ଼ାଉ କରି ୩ଟି ଚୂଡା ଗୋଦାମରୁ ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନା ଯାଞ୍ଚ ପାଇଁ ଭୁବନେଶ୍ୱର ରାମମନ୍ଦିର ନିକଟରେ ଥିବା ରାଜ୍ୟ ଫୁଡ୍‌ ସେଫ୍ଟି ଲାବରେଟୋରିକୁ ପଠାଯାଇଛି।
ସୂଚନା ଅନୁସାରେ, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳର ଭୁବନ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଜିଲାର ଚୁଡ଼ା ମିଲ୍‌ଗୁଡ଼ିକରେ ଧଳାଚୁଡ଼ାରେ ସବୁଜ ଏବଂ ନାଲି ରଙ୍ଗ ମିଶାଯାଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ଏହି ରିପୋର୍ଟ ଆଧାରରେ ସିଏମ୍‌ସି ଅଧିକାରୀମାନେ ମାଲଗୋଦାମରେ ପହଞ୍ଚି ଯାଞ୍ଚ କରିଥିଲେ। ସିଏମ୍‌ସି ଫୁଡ୍‌ ସେଫ୍ଟି ଅଧିକାରୀ ତଥା ନୋଡାଲ ଅଫିସର ଡା. ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ମିଟନ ଶାହା ପ୍ରମୁଖ ଯାଞ୍ଚରେ ସାମିଲ ହୋଇଥିଲେ। ହେଲେ ସିଏମ୍‌ସିର ଏହି ପ୍ରକାର ଯାଞ୍ଚକୁ ନେଇ ମାଲଗୋଦାମ ବଣିକ ସଂଘ କ୍ଷୋଭ ପ୍ରକାଶ କରିଛି। ଉପକୂଳ ଜିଲାରେ ଥିବା ମିଲ୍‌ରେ ଚୂଡ଼ାରେ ରଙ୍ଗ ଦିଆଯାଉଥିବା ସନ୍ଦେହ କରାଯାଉଥିବାବେଳେ ପ୍ରଶାସନ ସେଠାରେ ଚଢ଼ାଉ ନ କରି ମାଲଗୋଦାମରେ ବ୍ୟବସାୟୀଙ୍କୁ ନିର୍ଯାତନା ଦେଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଡା. ମହାପାତ୍ର କହିଛନ୍ତି, ଚୁଡ଼ାରେ ନାଲି ଓ ସବୁଜ ରଙ୍ଗ ମିଶୁଥିବା ଯେଉଁ ଅଭିଯୋଗ ଆସିଥିଲା ତାହାର ସତ୍ୟାସତ୍ୟ ଯାଞ୍ଚ କରାଯିବ।

Share