ଝାରସୁଗୁଡ଼ାରୁ ରାୟପୁର ଦେଇ ଦିଲ୍ଲୀକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨୪ା୭: ଏଲାୟନ୍ସ ଏୟାର ତରଫରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦରରୁ ଭାୟା ରାୟପୁର ଦେଇ ଦିଲ୍ଲୀକୁ ରବିବାର ପରୀକ୍ଷାମୂଳକ ଭାବେ ୨ ବିମାନ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ଏଲାୟନ୍ସ ଏୟାରର ୯୧୭୪୮ ନଂ.ବିଶିଷ୍ଟ ୭୦ ସିଟେଡ୍‌ ବିମାନରେ ଝାରସୁଗୁଡ଼ାରୁ ରାୟପୁର ଦେଇ ଦିଲ୍ଲୀକୁ ୧୨ଜଣ ଯାତ୍ରୀ ଯାଇଥିଲେ। ସେହିପରି ଦିଲ୍ଲୀରୁ ରାୟପୁର ଦେଇ ଝାରସୁଗୁଡ଼ାକୁ ଜଣେମାତ୍ର ଯାତ୍ରୀ ଆସିଥିଲେ ବୋଲି ଏଲାୟନ୍ସ ଏୟାରର ଅଧିକାରୀ ଅଭିଜିତ୍‌ ଶତପଥୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଏନେଇ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦର ନିର୍ଦ୍ଦେଶକ ପବନ ଜୁତଶୋ କହିଛନ୍ତି, ରାୟପୁର ଦେଇ ଏଲାୟନ୍ସ ଏୟାର ବିମାନ ପରୀକ୍ଷାମୂଳକ ଭାବେ ଚଳାଚଳ ଆରମ୍ଭ କରିଛି। ଆଗାମୀ ଦିନରେ ଯଦି ଯାତ୍ରୀସଂଖ୍ୟା ବୃଦ୍ଧି ପାଇବ, ତା’ହେଲେ ଭାୟା ରାୟପୁର ଦେଇ ଏହି ବିମାନ ଚଳାଚଳ କରିବ ବୋଲି ସେ କହିଛନ୍ତି। ବିମାନ ଉଡ଼ାଣ ସମୟରେ ଭିଏସ୍‌ଏସ୍‌ ବିମାନବନ୍ଦର ନିର୍ଦ୍ଦେଶକ ଜୁତଶୋ ଓ ଏଲାୟନ୍ସ ଏୟାରର ଅଧିକାରୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ା

Share