Advertisement

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୮(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାଲାହାଣ୍ଡି ଜିଲାର ଉତ୍‌କେଲା ଅଭିମୁଖେ ପ୍ରଥମ ନିର୍ଦ୍ଧାରିତ ବିମାନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗୁରୁବାର ଭୁବନେଶ୍ୱର-ଉତ୍‌କେଲା ଏମ୍‌/ଏସ୍‌ ଇଣ୍ଡିଆ ଓ୍ବାନ ଏୟାର ଦ୍ୱାରା ଏକ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ କରିଛି। ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ଏସ୍‌.ଏସ୍‌.ପି.ପି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ସି ଆଣ୍ଡ ଟି ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରୁବାର ଏହି ବିମାନ ଉଡ଼ାଣ କରିବ। ପରେ ସପ୍ତାହକୁ ସବୁଦିନ ଉଣାଣ କରିବ। ଏଥିସହ ଉତ୍‌କେଲା ବିମାନବନ୍ଦରକୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦ୍‌ଘାଟନ କରିଛନ୍ତି। ସପ୍ତାହର ଦୁଇ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଉଡ଼ିବ ବିମାନ ସେବା । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍‌କେଲାରେ ଏହି ବିମାନ ପହଞ୍ଚିବ। ସେହିପରି ଉତ୍‌କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବ।

୯ଟି ସିଟ୍‌ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍‌ ବିମାନରେ ଯାତ୍ରୀ ଯାତ୍ରା କରିବେ। ଏଥିପାଇଁ ଟିକେଟର ଦାମ୍‌ ରହିଛି ୯୯୯ ଟଙ୍କା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏଥିସହ ଖୁବଶୀଘ୍ର କଳାହାଣ୍ଡିରୁ ରାୟପୁରକୁ ବିମାନ ଉଡ଼ିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share