ଭୁବନେଶ୍ୱରରୁ ରାଜସ୍ଥାନ, ଗୋଆକୁ ଉଡିବ ବିମାନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଗୋଲାପି ସହର ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ। ସପ୍ତାହରେ ୩ ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସିନ୍ଧିଆ ଚିଠିରେ ଉଲ୍ଲେଖ କରିଛନ୍ତି । ସେହିଭଳି ଗୋଆକୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ବିମାନ ଚଳାଚଳ କରିବ। ଡିସେମ୍ବର ୧ ତାରିଖରୁ ଦୈନିକ ଗୋଆକୁ ବିମାନ ଯାତ୍ରା ସୁବିଧା ମିଳିବ।

Share