ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ଝାରସୁଗୁଡ଼ା ଅଫିସ,୨୧ା୮: ପଶ୍ଚିମ ଓଡ଼ିଶା ପାଇଁ ଖୁସି ଖବର। ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆସନ୍ତା ଅକ୍ଟୋବର ୨୫ ପରେ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି। ସ୍ପାଇସ୍‌ଜେଟ ଆସନ୍ତା ଓ୍ବିଣ୍ଟର ସିଡ୍ୟୁଲ୍‌ରେ ବ୍ୟବସାୟିକ ରାଜଧାନୀ ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ପଶ୍ଚିମ ଓଡ଼ିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ କରିବ। ଏହାଦ୍ୱାରା ଅଞ୍ଚଳବାସୀ ଅଧିକ ଲାଭବାନ ହେବେ ବୋଲି ସେନାପତି ସୂଚନା କହିଛନ୍ତି। ଏହି ବିମାନବନ୍ଦରରୁ ସ୍ପାଇସ୍‌ଜେଟ ଓ ଆଲାଇନ୍ସ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦିଲ୍ଲୀ, କୋଲକାତା, ଭୁବନେଶ୍ୱର, ରାୟପୁର, ହାଇଦ୍ରାବାଦକୁ ବିମାନ ଯାତ୍ରା ସେବା ଯୋଗାଇ ଆସୁଛନ୍ତି।